ସଙ୍କଟ ବଢ଼ାଉଛି ମିଆଁମାର: ୩୦୦ ଆତଙ୍କବାଦୀ ମଣିପୁରରେ ପଶିଛନ୍ତି

ହିଂସାରେ ୯୮ ଜଣଙ୍କ ମୃତ୍ୟୁ ହେଲାଣି, ୩୧୦ ଜଣ ଆହତ ହୋଇଛନ୍ତି

ଇମ୍ଫାଲ: ମେ’ ୩ ତାରିଖରୁ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ସବୁ ପ୍ରୟାସ ଜାରି ରହିଥିବା ବେଳେ ମିଆଁମାର ଆତଙ୍କବାଦୀଙ୍କ ପାଇଁ ଚିନ୍ତା ବଢ଼ିଛି। ମିଆଁମାରରୁ ପ୍ରାୟ ୩୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି। ସେମାନେ ଦକ୍ଷିଣ ମଣିପୁରର ସେରୋଉ ଏବଂ ସୁଗନୁ ଗ୍ରାମରେ ପ୍ରାୟ ୪୫୦ ଘର ଜାଳି ଦେଇଛନ୍ତି। ମିଆଁମାରର କୁକି ଆତଙ୍କବାଦୀମାନେ ମଣିପୁରରେ ଥିବା ସେମାନଙ୍କ ସଂପ୍ରଦାୟ ସହ ମିଶି ଭୟଙ୍କର ଆକ୍ରମଣ କରୁଛନ୍ତି। ଗତ ୨୯ ତାରିଖରେ ଜଣେ ବରିଷ୍ଠ ସେନା ଅଫିସର ଏକ ଟ୍ବିଟ୍‌ କରି କହିଥିଲେ ଯେ ଆତଙ୍କବାଦୀମାନେ ଲିମାଖଙ୍ଗ ସାମରିକ ଘାଟି ନିକଟରେ କିଛି ନାଗରିକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ରହିଛି ଏବଂ ସେମାନେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଜଣେ ନାଗରିକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେହିପରି ରବିବାର ସନ୍ଧ୍ୟାରେ କିଛି ସ୍ଥାନରେ ଆକ୍ରମଣ ହୋଇଥିଲା।

ହିଂସାରେ ୯୮ ଜଣଙ୍କ ମୃତ୍ୟୁ ହେଲାଣି
୩୧୦ ଜଣ ଆହତ ହୋଇଛନ୍ତି
ଶାହଙ୍କ ଚେତାବନୀ ପରେ ଲୁଟ୍‌ ହୋଇଥିବା ୧୪୦ ରାଇଫଲ୍‌ ଫେରିଲା

ଅଧିକାଂଶ ଜିଲ୍ଲାରେ ଏବେ ସ୍ଥିତି ସ୍ବାଭାବିକ ରହିଥିବାରୁ ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ଏବଂ ୮ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଛି। ହିଂସାରେ ଏଯାବତ ୯୮ ଜଣଙ୍କ ମୃତ୍ୟୁ ହେଲାଣି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୋଟ୍‌ ୩୭,୪୫୦ ଜଣ ୨୭୨ଟି ରିଲିଫ୍‌ ଶିବିରରେ ରହୁଛନ୍ତି। ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେତାବନୀ ପରେ ଶୁକ୍ରବାର ଦିନ ରାଜ୍ୟ ପୁଲିସ ନିକଟରେ ୧୪୦ରୁ ଅଧିକ ବନ୍ଧକୁ ସରେଣ୍ଡର୍‌ କରାଯାଇଛି। ସୂଚନାଯୋଗ୍ୟ, ହିଂସା ସମୟରେ ରାଜ୍ୟର ବିଭିନ୍ନ ଥାନା ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪୦୦ ବନ୍ଧୁକ ଲୁଟ୍‌ ହୋଇଥିଲା। ‌ ଶାହ ଗୁରୁବାର ଚେତାବନୀ ଦେଇ କହିଥିଲେ ଯେ ସୁରକ୍ଷା ବାହିନୀ ନିକଟ ଭବିଷ୍ୟତରେ ରାଜ୍ୟରେ କମ୍ବିଂ ଅପରେସନ ଆରମ୍ଭ କରିବେ ଏବଂ ‌ଯେଉଁମାନଙ୍କ ନିକଟରେ ବେଆଇନ ଅସ୍ତ୍ର ଥିବ ସେମାନେ କଠୋର କାର୍ଯ୍ୟାନୁଷ୍ଠାନ ସାମ୍ନା କରିବାକୁ ବାଧ୍ୟ। ଶାହଙ୍କ ଚେତାବନୀ ପରେ ୧୪୦ରୁ ଅଧିକ ଅସ୍ତ୍ର ସରେଣ୍ଡର କରାଯାଇଛି। ସୁରକ୍ଷାବାହିନୀର ଲଗାତାର କମ୍ବିଂ ଯୋଗୁଁ ରାଜ୍ୟରେ ପୋଡ଼ାଜଳା ଏବଂ ହିଂସା କମିଯାଇଛି। ଅଧିକାଂଶ ସ୍ଥାନରେ ସ୍ଥିତି ସ୍ବାଭାବିକ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୪ ଦିନିଆ ମଣିପୁର ଗସ୍ତରେ ଯାଇ ରାଜ୍ୟରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ମଣିପୁରରେ ଶାନ୍ତି ଫେରି ଆସିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ମଣିପୁର ଗସ୍ତରେ ଯାଇ ରାଜ୍ୟରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସପ୍ତାହକ ମଧ୍ୟରେ ୪୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର