ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଂପନ୍ନ ଗଣତନ୍ତ୍ରର ମାପକାଠି: ଆମେରିକା

ଭାରତର ଜବାବ: କ୍ୟାପିଟଲ୍‌ ହିଂସା ଭଳି ଦିଲ୍ଲୀ ହିଂସା ମଧ୍ୟ ଅନୁରୂପ ଭାବାବେଗ ସୃଷ୍ଟି କରିଛି

ନୂଆଦିଲ୍ଲୀ: ବହୁ ପର୍ଯ୍ୟାୟ କଥାବାର୍ତ୍ତା ପରେ ବି ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ କୌଣସି ସମାଧାନର ବାଟ ଏଯାଏ ବାହାରିପାରି ନଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ତାଳମେଳ ରଖି ଉଭୟ ପକ୍ଷକୁ ସମର୍ଥନ କଲା ଭଳି ବକ୍ତବ୍ୟ ରଖିଛି। କେବଳ କଥାବାର୍ତ୍ତା ମାଧ୍ୟମରେ ହିଁ ଉଭୟ ପକ୍ଷ ମଧ୍ୟରେ ରହିଥିବା ମତଭେଦ ଦୂର କରିବାକୁ ଆମେରିକା ପ୍ରୋତ୍ସାହିତ କରେ ବୋଲି କୁହାଯିବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହିଁ ଏକ ସଂପନ୍ନ ଗଣତନ୍ତ୍ରର ମାପକାଠି ବୋଲି ଟିପ୍ପଣୀ କରାଯାଇଛି। ଅନ୍ୟପକ୍ଷରେ ଆମେରିକା ଭାରତ ସରକାରଙ୍କ କୃଷି ସଂସ୍କାର ଏବଂ ନୂଆ କୃଷି ଆଇନକୁ ସମର୍ଥନ କରିଛି।

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସମ୍ପର୍କରେ ମତାମତ ରଖି ବାଇଡେନ୍‌ ପ୍ରଶାସନ ଭାରତର ବଜାର ଦକ୍ଷତାରେ ଉନ୍ନତି ଆଣିବା ଏବଂ ଅଧିକ ଘରୋଇ ପୁଞ୍ଜିନିବେଶକୁ ପ୍ରଶ୍ରୟ ଦେବା ଲାଗି ନିଆଯାଉଥିବା ପଦକ୍ଷେପଗୁଡ଼ିକ ସ୍ବାଗତଯୋଗ୍ୟ ବୋଲି କହିଛି। ଅପରପକ୍ଷେ, ଦିଲ୍ଲୀ ସୀମାସ୍ଥ ଆନ୍ଦୋଳନସ୍ଥଳମାନଙ୍କରେ ଇଣ୍ଟରନେଟ୍‌ ସେବାରେ ଲାଗିଥିବା କଟକଣା ସମ୍ପର୍କରେ ଆମେରିକା କହିଛି ଯେ ସୂଚନା ପାଇବା ପାଇଁ ଇଣ୍ଟରନେଟ ସମେତ ଯାବତୀୟ ବ୍ୟବସ୍ଥାଗୁଡ଼ିକର ଅବାଧ ଉପଲବ୍‌ଧି ହିଁ ବାକ୍‌ ସ୍ବାଧୀନତାର ମୌଳିକତ୍ବ ତଥା ଏକ ସଂପନ୍ନ ଗଣତନ୍ତ୍ରର ମାପକାଠି ବୋଲି ଆମେରିକା ବିବେଚନା କରେ। ଏ ସମ୍ପର୍କରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଉଭୟ ଭାରତ ଓ ଆମେରିକା ଜୀବନ୍ତ ଗଣତନ୍ତ୍ର ହେବା ସହ ଉଭୟଙ୍କ ଭିତରେ କିଛି ସାମଞ୍ଜସ୍ୟ ମଧ୍ୟ ରହିଛି। ଗତ ମାସରେ ଆମେରିକାର କ୍ୟାପିଟଲ ହିଲ୍‌ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଦ୍ବାରା ଦେଖାଦେଇଥିବା ହିଂସାକାଣ୍ଡ ପରେ ଯେଭଳି ସେଠାରେ ଦେଶବ୍ୟାପୀ ଅସନ୍ତୋଷ ଅନୁଭୂତ ହୋଇଥିଲା, ଗତ ୨୬ ତାରିଖ ନୂଆଦିଲ୍ଲୀ ହିଂସାକାଣ୍ଡ ମଧ୍ୟ ଭାରତରେ ଅନୁରୂପ ଭାବାବେଗ ସୃଷ୍ଟି କରିଛି ବୋଲି କୁହାଯାଇଛି। ଯେ କୌଣସି ପ୍ରତିବାଦ ବା ଆନ୍ଦୋଳନକୁ ଭାରତୀୟ ଗାଣତନ୍ତ୍ରିକ ଲୋକାଚାର ଭିତ୍ତିରେ ତଉଲିବା ଉଚିତ ବୋଲି ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର