କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା ରହସ୍ୟ ଉପନ୍ୟାସ ପରି: ଏନ୍ସିବି
ଆରୟନ୍ଙ୍କୁ ଫସା ଯାଇଥିବା ଅଭିଯୋଗକୁ ଏନ୍ସିବିର ଖଣ୍ଡନ
ମୁମ୍ବାଇ, ୬/୧୦: ଜାହାଜରେ ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ମଙ୍ଗଳବାର ଏକ କୋର୍ଟକୁ କହିଛି ଯେ, ଏହି ଘଟଣା ଶେର୍ଲକ୍ ହୋମ୍ସ ଓ ଅଗାଥା କ୍ରିଷ୍ଟିଙ୍କ ରହସ୍ୟ ଉପନ୍ୟାସ ପରି ଲାଗୁଛି କାରଣ ପ୍ରତି ମୁହୂର୍ତ୍ତରେ ଘଟଣାର ମୋଡ଼ ପରିବର୍ତ୍ତନ ହେବା ସହ ନୂଆ ନୂଆ କଥା ପଦାକୁ ଆସିବାରେ ଲାଗିଛି। ଏନ୍ସିବି ଏ ପର୍ଯ୍ୟନ୍ତ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ (୨୩)ଙ୍କ ସହ ୧୬ ଜଣଙ୍କୁ ଗିରଫ କରିସାରିଲାଣି। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଆର୍ଏମ୍ ନେର୍ଲିକାର ମଙ୍ଗଳବାର ଅବଦୁଲ କାଦିର ଶେଖ୍ (୩୦), ଶ୍ରେୟସ୍ ନାୟାର (୨୩), ମନିଷ ରାଜଗରିୟା (୨୬) ଓ ଅବିନ ସାହୁ (୩୦)ଙ୍କୁ ଏନ୍ସିବି ହାଜତକୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଥିଲେ। ତା’ ପୂର୍ବରୁ ଆର୍ୟନ୍ ଖାନ୍ ଓ ୭ ଜଣଙ୍କୁ କୋର୍ଟ ଗୁରୁବାର ପର୍ଯ୍ୟନ୍ତ ଏନ୍ସିବି ହାଜତକୁ ପଠାଇଥିଲେ। ଚାରି ଅଭିଯୁକ୍ତଙ୍କ ରିମାଣ୍ଡ ପାଇଁ କାଗଜପତ୍ର ଦାଖଲ କଲାବେଳେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର (ଏସ୍ପିପି) ଅଦ୍ବୈତ ସେଥନା ମଙ୍ଗଳବାର କହିଥିଲେ ଯେ, ଏହା ଅଗାଥା କ୍ରିଷ୍ଟି ଓ ଶେର୍ଲକ୍ ହୋମ୍ସଙ୍କ ଏକ ରହସ୍ୟ ଉପନ୍ୟାସ ପରି ଲାଗୁଛି, କାରଣ ପ୍ରତି ମୁହୂର୍ତ୍ତରେ ଘଟଣାର ମୋଡ଼ ବଦଳିବାରେ ଲାଗିଛି।
ସେଥନା କହିଥିଲେ ଯେ, ଶେଖ୍କୁ ମୁମ୍ବାଇ ଉପକଣ୍ଠ ଯୋଗେଶ୍ବରୀଠାରୁ ସୋମବାର ସନ୍ଧ୍ୟା ୬ଟାରେ ଗରିଫ କରାଯାଇଛି ଏବଂ ତା’ ପାଖରୁ ବିପୁଳ ପରିମାଣର ଡ୍ରଗ୍ ଜବତ କରାଯାଇଛି। ଏନ୍ସିବି କହିଛି ଶେଖ୍ଠାରୁ ୨.୫ ଗ୍ରାମ୍ ଏକ୍ଟାସି ଓ ୫୪.୩ ଗ୍ରାମ୍ ମେଫିଡ୍ରୋନ୍ ଜବତ କରାଯାଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଜେରା କଲାବେଳେ ସେମାନେ ଏହାର ନାମ କହିଥିଲେ। ସେହିପରି ନାୟାରଠାରୁ ୨ ଗ୍ରାମ୍ ଚରସ ଜବତ କରାଯାଇଥିଲା। ଉଭୟ ଶେଖ୍ ଓ ନାୟାର ଡ୍ରଗ୍ ସପ୍ଲାଇ କରୁଥିବା ଏନ୍ସିବି ପ୍ରକାଶ କରିଛି। ଅନ୍ୟ ଅଭିଯୁକ୍ତଦ୍ବୟ (ରାଜଗରିୟା ଓ ସାହୁ) କ୍ରୁଜ୍ ପାର୍ଟିର ଅତିଥି ଥିଲେ।
ଆରୟନ୍ଙ୍କୁ ଫସା ଯାଇଥିବା ଅଭିଯୋଗକୁ ଏନ୍ସିବିର ଖଣ୍ଡନ
ମୁମ୍ବାଇ: କ୍ରୁଜ୍ ରେଭ୍ ପାର୍ଟି ମାମଲାରେ ଏନ୍ସିପି ନେତା ନୱାବ ମଲିକ ଅଭିଯୋଗ କରିଥିଲେ ଯୋଜନାବଦ୍ଧ ଭାବେ ଜାହାଜରେ ଚଢ଼ଉ ହୋଇଥିଲା ଏବଂ ଆରୟନ୍ଙ୍କୁ ଫସାଇବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଡ୍ରଗ୍ସ କଥା ଉଠିଥିଲା। ସମଗ୍ର ବଲିଉଡ୍କୁ ବଦ୍ନାମ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ମଲିକ କହିଥିଲେ। ମଲିକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ଏନ୍ସିବି କହିଛି ମଲିକଙ୍କ ବୟାନ ମନଗଢ଼ା ଏବଂ ସଂପୂର୍ଣ୍ଣ ଭିତ୍ତିହୀନ। ଏନ୍ସିବି ଡେପୁଟି ଡିଜି ଜ୍ଞାନେଶ୍ବର ସିଂହ କହିଛନ୍ତି, ଏନ୍ସିବିର ଏହି ପ୍ରକ୍ରିୟା ସଂପୂର୍ଣ୍ଣ ପାରଦର୍ଶୀ ଓ ନିରପେକ୍ଷ ରହିଛି ଏବଂ ଆଗକୁ ଏହା ଜାରି ରହିବ।
ଏନ୍ସିବି ପକ୍ଷରୁ ଆଜି କୁହାଯାଇଛି, କ୍ରୁଜ୍ ଜାହାଜରୁ ନିଷିଦ୍ଧ ଔଷଧ ଜବତ ପରିପ୍ରେକ୍ଷୀରେ ଗିରଫ ହୋଇଥିବା ଶାହରୁଖ ଖାନ୍ଙ୍କ ପୁଅ ଆରୟନ୍ଙ୍କ ସମେତ ୮ ଜଣଙ୍କ ନିକଟରୁ ଡ୍ରଗ୍ସ ଏବଂ ୧.୩୩ ଲକ୍ଷ ଟଙ୍କା ଜବତ କରାଯାଇଛି। ରବିବାର ଦିନ ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲ, ଗ୍ରୀନ୍ ଗେଟ୍ ମୁମ୍ବାଇ ଏବଂ କାର୍ଡିଲିୟା କ୍ରୁଜ୍ ଜାହାଜରେ ହୋଇଥିବା ଚଢ଼ଉବେଳେ ବିକ୍ରାନ୍ତ ଛୋକର, ଇସ୍ମିତ ସିଂହ ଚଢ଼ା, ଅରବାଜ ଏ ମର୍ଚ୍ଚାଣ୍ଟ, ଆରୟନ୍ ଖାନ୍, ମୋହକ ଜଶୱାଲ, ମୁନ୍ମୁନ ଧମେଚା ଏପଂ ନୂପୁର ସତିଜାଙ୍କ ନିକଟରୁ ୧.୩୩ ନଗଦ ଟଙ୍କା ସହ ଅଫିମ, ଚରସ୍, ମେଫେଡ୍ରୋନ୍, ହାଇଡ୍ରୋପୋନିକ୍ ବିଡ ଏବଂ ଏମ୍ଡିଏମ୍ଏ ଭଳି ଡ୍ରଗ୍ସ ଜବତ କରାଯାଇଥିଲା।