ଆରୋଗ୍ୟ ହାର ୯୨%ରୁ ଅଧିକ: ଦିନକରେ ୩,୨୦୭ ମୃତ, ୧,୩୨,୭୮୮ ନୂତନ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ଲୁଚକାଳି ଖେଳ ଜାରି ରହିଛି। ଗତକାଲି ଦେଶରେ ଦୈନିକ ସଂକ୍ରମଣ ଗତ ୫୨ ଦିନ ଭିତରେ ସର୍ବନିମ୍ନ ରହିଥିବା ବେଳେ ଆଜି ସେଥିରେ ପାଖାପାଖି ୫ ହଜାର ବୃଦ୍ଧି ଘଟିଛି। ସେହିପରି ଗତକାଲି ଦୈନିକ ମୃତକଙ୍କ ସଂଖ୍ୟା ଗତ ୩୪ ଦିନ ଭିତରେ ସର୍ବନିମ୍ନ ଥିଲା ବେଳେ ଆଜି ସେଥିରେ ଅଧିକ ପ୍ରାୟ ୪୦୦ ଯୋଡ଼ିହୋଇଯାଇଛି। ତେବେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ଲାଭ କରିବା ପ୍ରକ୍ରିୟା ଜାରି ରହିବା ସହ ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ଘଟିବା ଆଶ୍ବସ୍ତିର ବିଷୟ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୁଧବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୩୨,୭୮୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଅଦ୍ୟାବଧି ମୋଟ ୨,୮୩,୦୭,୮୩୨ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୬,୫୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୯,୭୬୦ ଜଣ, କର୍ଣ୍ଣାଟକରେ ୧୪,୩୦୪ ଜଣ, ମହାରାଷ୍ଟ୍ରରେ ୧୪,୧୨୩ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୧,୩୦୩ ଜଣ ସଂକ୍ରମିତ ବାହାରିଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୨୦୭ ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ଅଦ୍ୟାବଧି ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୩୫,୧୦୨ରେ ପହଞ୍ଚିଛି।

ମଙ୍ଗଳବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୫୪ ଜଣ ହୋଇଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୯୦ ଜଣ, କର୍ଣ୍ଣାଟକର ୪୬୪ ଜଣ, କେରଳର ୧୯୪ ଜଣ ଓ ଉତ୍ତରପ୍ରଦେଶରେ ୧୭୫ ଜଣ ରହିଛନ୍ତି। ସେହିପରି ଲଗାତାର କୋଡ଼ିଏ ଦିନ ପାଇଁ ମଙ୍ଗଳବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ କୋଭିଡ୍‌ ପୀଡ଼ିତ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୩୧,୪୫୬ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୬୧, ୭୯,୦୮୫ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି ଯାହା କି ମୋଟ ସଂକ୍ରମିତଙ୍କର ୯୨.୪୮ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଏଥି ସହିତ ଦେଶରେ ସକ୍ରିୟ ମାମଲା ୧୭,୯୩,୬୪୫କୁ ଖସି ଆସିଛି ଯାହା ମୋଟ ସଂକ୍ରମିତଙ୍କର ୬.୩୪ ପ୍ରତିଶତ ରହିଛି। ଲଗାତାର ନବମ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିଛି। ଅପରପକ୍ଷେ, ଗତକାଲି ଦେଶରେ ୨୦,୧୯,୭୭୩ଟି କୋଭିଡ୍‌ ନମୁନା ପରୀକ୍ଷଣ ସହ ଅଦ୍ୟାବଧି ମୋଟ ୩୫,୦୦,୫୭,୩୩୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର) ସୂଚନାରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର