ନୂଆଦିଲ୍ଲୀ: ମେଘାଳୟର ସିଲଂରେ ଇନ୍ଦୋର ଦମ୍ପତିଙ୍କ ନିଖୋଜ ଘଟଣା ଏକ ନାଟକୀୟ ମୋଡ଼ ନେଇଛି। ୧୬ ଦିନ ପରେ ସତ ପଦାକୁ ଆସିଛି। ସୋନମ ରଘୁବଂଶୀ ଏବଂ ରାଜା ରଘୁବଂଶୀ ଗତ ମେ’ ୧୧ ତାରିଖରେ ବିବାହ କରିଥିଲେ। ମେ’ ୨୦ରେ ସେମାନେ ‌ମେଘାଳୟକୁ ହନିମୁନ୍‌ରେ ଯାଇଥିଲେ। କିନ୍ତୁ ୩ ଦିନ ପରେ ଏହି ଦମ୍ପତି ନିଖୋଜ ହୋଇଗଲେ। ବହୁ ଖୋଜାଖୋଜି ପରେ ‌ଜୁନ୍‌ ୨ରେ ରାଜା ରଘୁବଂଶୀଙ୍କର ମୃତ‌ଦେହ ଏକ ଗଭୀର ଖାଇରୁ ମିଳିଥିଲା। କିନ୍ତୁ ସୋନମ ମିଳିନଥିଲେ। ତେବେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଅତ୍ୟନ୍ତ ନାଟକୀୟ ଢଙ୍ଗ‌ରେ ଏହି ଘଟଣା ଉପରୁ ପରଦା ହଟିଛି। ମେଘାଳୟ ପୁଲିସ ଅନୁଯାୟୀ ମେ’ ୨୩ ତାରିଖରୁ ରାଜାଙ୍କ ସହ ‌ନିଖୋଜ ହୋଇଯାଇଥିବା ତାଙ୍କ ପତ୍ନୀ ସୋନମ ଉତ୍ତରପ୍ରଦେଶର ଗାଜିପୁରରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

Advertisment

ମେଘାଳୟରେ ହତ୍ୟାକରି ୟୁପିରେ ଧରାପଡ଼ିଲା
୩ ସୁପାରି କିଲର୍‌, ସମେତ ୪ ଗିରଫ

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହା ଏକ ସୁପାରି କିଲିଂ। ସୋନମର ଅନ୍ୟ ଜଣଙ୍କ ସହ ସମ୍ପର୍କ ଥିଲା ଏବଂ ତା’ ସହ ମିଶି ସୋନମ ନିଜ ସ୍ବାମୀଙ୍କୁ ହତ୍ୟା କରିଛି। ଏହି ମାମଲାରେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷେ ଗାଜିପୁର ଏସ୍‌ପି ନିରଜ ରାଜା କହିଛନ୍ତି, ସୋନମଙ୍କୁ ଉତ୍ତରପ୍ରଦେଶର ‘ୱାନ ଷ୍ଟପ୍‌ ସେଣ୍ଟର‌୍‌’ରେ ରଖାଯାଇଛି।  ରାଜା କହିଛନ୍ତି, ଆଜି ସକାଳେ  ବାରାଣସୀ-ଗୋରଖପୁର ରାଜପଥରେ କାଶି ଢାବାରେ ସୋନମ ନାମକ ଜଣେ ମହିଳା ଥିବା‌ ନେଇ ମଧ୍ୟପ୍ରଦେଶ ପୁଲିସ ଠାରୁ ସୂଚନା ପାଇଥିଲୁ। ଏହାପରେ ସୋନମଙ୍କୁ ହେପାଜତକୁ ନିଆଯାଇଛି। ଅନ୍ୟପକ୍ଷେ ମେଘାଳୟ ପୁଲିସ ଉତ୍ତରପ୍ରଦେଶର ଗାଜିପୁରରେ ପହଞ୍ଚି ସୋନମଙ୍କୁ ହାଜତକୁ ନେଇଛି।  ଇତି ମଧ୍ୟରେ ରାଜା ରଘୁବଂଶୀଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ଶରୀରରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଗଭୀର ଆଘାତ ଲାଗିଛି।  

ଉଲ୍ଲେଖଯୋଗ୍ୟ ଯେ ୨୬ ବର୍ଷୀୟ ରାଜା ରଘୁବଂଶୀ ନିଖୋଜ ହେବା ଏବଂ ଏକ ବଡ଼ ଖାଇରୁ ତାଙ୍କ ମୃତଦେହ ମିଳିବା ଏକ ଦୁର୍ଘଟଣା ନୁହେଁ ବରଂ ତାଙ୍କ ପତ୍ନୀ ସୋନମଙ୍କ ଦ୍ବାରା ଏହା ଏକ ସୁଚିନ୍ତିତ ହତ୍ୟା ଯୋଜନା ଥିଲା। ପୁଲିସ ଅନୁଯାୟୀ ସୋନମ ଏବଂ ତା’ପ୍ରେମିକ ରାଜ କୁଶୱାହା ଦ୍ବାରା ରାଜା ରଘୁବଂଶୀଙ୍କୁ ହତ୍ୟା କରିବାପାଇଁ ବିଧିବଦ୍ଧ ଯୋଜନା ହୋଇଥିଲା। ସୋନମ ନିଜ ସ୍ବାମୀଙ୍କୁ ହତ୍ୟା କରିବାପାଇଁ  ୩ ଜଣ ସୁପାରି କିଲର ଆଣିଥିଲା ଏବଂ ‌ସେମାନେ ହେଉଛନ୍ତି ଆକାଶ, ବିଶାଲ ଏବଂ ଆନନ୍ଦ। ସୋନମ ଏବଂ ରାଜାଙ୍କ ଯାତ୍ରା ସମୟରେ ଉକ୍ତ ୩ ଜଣ ସେମାନଙ୍କ ସହ ଯାଇଥିଲେ। ମେ’ ୨୨ ତାରିଖରେ ରାଜା ଏବଂ ସୋନମ ସେମାନଙ୍କ ହୋଟେଲ୍‌ ଛାଡ଼ି ଏକ ଭଡ଼ା ସ୍କୁଟରରେ ସ୍ଥାନୀୟ ଅଞ୍ଚଳ ବୁଲାବୁଲି କରିବାପାଇଁ ବାହାରିଥିଲେ। ମେ’ ୨୩ ତାରିଖରେ ସୋନମ ତାଙ୍କ ଶାଶୂମା’ଙ୍କୁ ଫୋନ୍‌ କଲ୍‌ କଲେ ଏବଂ ତାଙ୍କୁ ସେମାନଙ୍କର ସେଦିନର ଯୋଜନା ସଂକ୍ରାନ୍ତରେ କହିଲେ। ସେ ଏକ ଉପବାସ ରଖୁଛନ୍ତି ବୋଲି କହିଥିଲେ। ଏହାପରେ ସେମାନଙ୍କ ଫୋନ୍‌ ଅପହଞ୍ଚ ହୋଇଗଲା। ସେହି ସମାନ ଦିନ ସୋହରା ଅଞ୍ଚଳରେ ଜଣେ ଗାଁ ମୁଖିଆ କେହି ମାଲିକ ନଥିବା ଏକ ସ୍କୁଟର ଗୋଟିଏ ଢାବା ନିକଟରୁ ପାଇଥିଲେ। ଅନ୍ୟପ‌କ୍ଷେ ରାଜାଙ୍କ ପରିବାର ସେମାନଙ୍କ ସହ ଯୋଗ‌ାଯୋଗ କରିପାରିଲେନି।