ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଭୟର ବାତାବରଣ ସୃଷ୍ଟି କରିଥିବା କୋଭିଡ୍ର ନୂଆ ପ୍ରଜାତି ‘ଓମିକ୍ରନ୍’ ପାଇଁ କଟକଣା ପୁଣିଥରେ ଫେରିଛି। ‘ଓମ୍ରିକନ୍’ ପାଇଁ ଏବେ ବିଭିନ୍ନ ରାଷ୍ଟ୍ର ପୁଣି କରୋନା କଟକଣା କଡ଼ାକଡ଼ି କରିଛନ୍ତି। ଅଷ୍ଟ୍ରେଲିଆ, ଇସ୍ରାଏଲ, ବ୍ରିଟେନ୍ରେ ଓମିକ୍ରନ୍ର ନୂଆ ପ୍ରଜାତି ଚିହ୍ନଟ ହେବାପରେ କଟକଣା ଅଧିକ ଶକ୍ତ ହୋଇଛି। ଉକ୍ତ ନୂଆ ପ୍ରଜାତି ପାଇଁ ବାଂଲାଦେଶ ଦକ୍ଷିଣ ଆଫ୍ରିକା ଯାତ୍ରୀମାନଙ୍କ ପ୍ରବେଶକୁ ଅନୁମତି ଦେଉନାହିଁ। ସେହିପରି ଇସ୍ରାଏଲ ସରକାର ୫୦ ଆଫ୍ରିକୀୟ ରାଷ୍ଟ୍ରର ଯାତ୍ରୀମାନଙ୍କ ପ୍ରବେଶ ନିଷିଦ୍ଧ କରିଛନ୍ତି। ୧୪ ଦିନ ପାଇଁ ଇସ୍ରାଏଲ୍କୁ ୫୦ଟି ଆଫ୍ରିକୀୟ ରାଷ୍ଟ୍ରର ଯାତ୍ରୀମାନଙ୍କୁ ବାରଣ କରାଯାଇଛି। ସେହିପରି ଇଣ୍ଡୋନେସିଆ ମଧ୍ୟ ୮ ଆଫ୍ରିକୀୟ ରାଷ୍ଟ୍ରରୁ ନାଗରିକଙ୍କୁ ଦେଶରେ ପ୍ରବେଶ ଅନୁମତି ଦେଉନାହିଁ। ଆସନ୍ତା ସୋମବାରଠାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଭାରତ ସରକାର ମଧ୍ୟ ବିଦେଶୀ ରାଷ୍ଟ୍ରରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂଆ କଟକଣା ଆରମ୍ଭ କରିଛନ୍ତି।
ନେଦରଲାଣ୍ଡ୍ରେ ‘ଓମିକ୍ରନ୍’ ପ୍ରଜାତିର ୧୩ଟି ମାମଲା ଚିହ୍ନଟ ହୋଇଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ନେଦରଲାଣ୍ଡକୁ ଦକ୍ଷିଣ ଆଫ୍ରିକାରୁ ୬୧ ଯାତ୍ରୀ ଆସିଥିବା ବେଳେ ସେମାନଙ୍କୁ କ୍ବାରାଣ୍ଟିନ୍ରେ ରଖି କରୋନା ଟେଷ୍ଟ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଆହୁରି ଅଧିକ ନମୁନାରେ ବି ଏହି ପ୍ରଜାତି ଚିହ୍ନଟ ହୋଇପାରେ। ବ୍ରିଟେନ୍ରେ ଓମିକ୍ରନ୍ ପ୍ରଜାତିର ୨ଟି ମାମଲା ଚିହ୍ନଟ ହୋଇଥିବାରୁ ଟେଷ୍ଟିଂ ଓ ଟ୍ରାକିଂକୁ ବ୍ୟାପକ କରାଯାଇଛି। ଦୋକାନ ବଜାର ଏବଂ ଜନଗହଳି ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ବ୍ରିଟେନ୍କୁ ଆସୁଥିବା ସମସ୍ତ ବିଦେଶ ଯାତ୍ରୀଙ୍କ ପିସିଆର ଟେଷ୍ଟ୍ ବାଧ୍ୟତାମୂଳକ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ସାଜିଦ ଜାଭିଦ କହିଛନ୍ତି। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଏବେ ଆଉ ୮ ରାଷ୍ଟ୍ରକୁ ମାଡ଼ିଗଲାଣି। ଏହି ରାଷ୍ଟ୍ରମାନେ ହେଲେ ନେଦରଲାଣ୍ଡ, ଡେନମାର୍କ, ବେଲଜିୟମ, ବୋସ୍ବାନା, ହଂକଂ, ଇସ୍ରାଏଲ, ଇଟାଲି ଏବଂ ବ୍ରିଟେନ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନ୍କୁଏକ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି। ଓମିକ୍ରନ୍ ପୂର୍ବ ପ୍ରଜାତି ଗୁଡ଼ିକ ଅପେକ୍ଷା ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ଏବେ ବିଶ୍ବବ୍ୟାପୀ କୋଭିଡ୍ କଟକଣା ଫେରିବାରେ ଲାଗିଛି।