ଦୈନିକ ସଂକ୍ରମଣ ୯ ହଜାର ଟପିଲା, ୨୪ ଘଣ୍ଟାରେ ୯୩୦୪ ଆକ୍ରାନ୍ତ

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାର, ଲଗାତାର ୬ ଦିନ ଧରି ୨୦୦ରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୯,୩୦୪ ମାମଲା ଚିହ୍ନଟ ହୋଇଛି ଏବଂ ୨୬୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାରରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୬ ହଜାର ଟପିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା ୨୬୦ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୨୨, ଦିଲ୍ଲୀରେ ୫୦, ତାମିଲନାଡ଼ୁରେ ୧୧, ପଶ୍ଚିମବଙ୍ଗରେ ୧୦, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାରେ ୭ ଜଣଙ୍କ ମୃ୍ତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ମୃତ୍ୟୁସଂଖ୍ୟା ୨,୫୮୭ରେ ପହଞ୍ଚିଛି । ଅନ୍ୟପକ୍ଷେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଛୁଇଁଲାଣି। ମହାରାଷ୍ଟ୍ର ପଛକୁ ଗୁଜରାଟରେ ୧୧୨୨ , ମଧ୍ୟପ୍ରଦେଶରେ ୩୭୧, ପଶ୍ଚିମବଙ୍ଗରେ ୩୪୫, ଉତ୍ତରପ୍ରଦେଶରେ ୨୨୯, ରାଜସ୍ଥାନରେ ୨୦୯, ତାମିଲନାଡ଼ୁରେ ୨୦୮, ତେଲେଙ୍ଗାନାରେ ୯୯ ଏବଂ ଆନ୍ଧ୍ରପ୍ରଦେଶରେ ୬୮ ଜଣଙ୍କ ମୃତ୍ୟୁ ହୋଇଛି। ଭାରତ ଏବେ ସଂକ୍ରମଣ ମାମଲାରେ ବିଶ୍ବରେ ସପ୍ତମ ସ୍ଥାନରେ ରହିଛି। ଭାରତରେ ଯଦି ସଂକ୍ରମଣ ମାମଲା ଏମିତି ବଢ଼ିଚାଲେ ତେବେ ଏହା ଆସନ୍ତା ୨ ଦିନ ମଧ୍ୟରେ ଇଟାଲିକୁ ଟପିଯିବ।

ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଦେଶରେ ଆରୋଗ୍ୟ ହାର ବଢ଼ିବା ଏକ ସକରାତ୍ମକ ସୂଚନା ପ୍ରଦାନ କରିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ଏବେ ସକ୍ରିୟ ମାମଲା ୧ ଲକ୍ଷ ୬ ହଜାର ପାର ହୋଇଯାଇଛି। ଅନ୍ୟପକ୍ଷେ ୧ ଲକ୍ଷ ୪ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ ଏବଂ ଦିଲ୍ଲୀରେ ଲଗାତାର ସଂକ୍ରମଣ ବଢ଼ୁଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲାର ୫୦ ପ୍ରତିଶତରୁ ଅଧିକ କେବଳ ଏହି ୪ଟି ରାଜ୍ୟରୁ ଚିହ୍ନଟ ହୋଇଛି। ସେପଟେ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ନାଗାଲାଣ୍ଡ୍‌ , ମିଜୋରାମ୍‌ ଏବଂ ସିକ୍କିମ୍‌ରେ ମଧ୍ୟ ସଂକ୍ରମଣ ବଢ଼ୁଛି।

ସମ୍ବନ୍ଧିତ ଖବର