ନୂଆଦିଲ୍ଲୀ : ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି। ଦ୍ବିତୀୟ ଲହରରେ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ବି ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। ଦେଶରେ ଦିନକରେ ଦେଢ଼ ହଜାରରୁ ଅଧିକଙ୍କର କରୋନାରେ ମୃତ୍ୟୁ ହୋଇଛି। ୧୫୦୧ କରୋନା ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧,୭୭,୧୫୦କୁ ବୃଦ୍ଧି ପାଇଛି। ତେବେ ୮୨.୯୪ ପ୍ରତିଶତ ନୂଆ କରୋନା ମୃତ୍ୟୁ ୧୦ ରାଜ୍ୟରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ ୧୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୫୦୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଲଗାତାର ୪ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୨ ଲକ୍ଷରୁ ଅଧିକ ରହୁଛି।
ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୪୭,୮୮,୧୦୯ ପହଞ୍ଚିଛି। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୧୮ ଲକ୍ଷ ଟପିଯାଇଛି। ସକ୍ରିୟ ମାମଲା ଏବେ ମୋଟ୍ ସଂକ୍ରମଣ ମାମଲାର ୧୨.୧୮ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ମଧ୍ୟ ୮୬.୬୨ ପ୍ରତିଶତକୁ ଖସି ଆସିଛି। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟମାନଙ୍କରେ ଏବେ ବେଡ୍ ଓ ମେଡିକାଲ୍ ଅକ୍ସିଜେନ୍ର ଅଭାବ ଦେଖାଦେଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବ୍ୟାପକ ଭାବେ ବେଡ୍ ଓ ଅକ୍ସିଜେନ୍ର ଅଭାବ ଦେଖାଦେଇଛି।
ଦେଶରେ ଦୈନିକ କରୋନା ପଜିଟିଭ୍ ହାର ଗତ ୧୨ ଦିନ ମଧ୍ୟରେ ୮ ପ୍ରତିଶତରୁ ୧୬.୬୯ ପ୍ରତିଶତକୁ ଦ୍ବିଗୁଣା ହୋଇଛି ଏବଂ ସାପ୍ତାହିକ ପଜିଟିଭ୍ ହାର ଗତ ଗୋଟିଏ ମାସରେ ୩.୦୫ ପ୍ରତିଶତରୁ ୧୩.୫୪ ପ୍ରତିଶତକୁ ବୃଦ୍ଧି ହୋଇଛି। ୫ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ କେରଳରେ ଦେଶର ମୋଟ୍ ସକ୍ରିୟ ମାମଲାର ୬୫.୦୨ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/5f4h98sf98h7sh9s8fhshfshfhss.jpg)