ନୂଆଦିଲ୍ଲୀ: ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ବେଜିଂ ଅନୁମୋଦନ କରିବା ଉଚିତ ବୋଲି ଚୀନ୍ର ଦାବି ଉପରେ ଭାରତ ଗୁରୁବାର ତୀବ୍ର ଆପତ୍ତି ଉଠାଇ କହିଛି ଯେ ତିବ୍ବତୀୟ ଆଧ୍ୟାତ୍ମିକ ନେତାଙ୍କ ବ୍ୟତୀତ ଅନ୍ୟ କାହାର ଉତ୍ତରାଧିକାରୀ ଚୟନ କରିବାର ଅଧିକାର ନାହିଁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏକ ବିବୃତିରେ କହିଛନ୍ତି ଯେ ଦଲାଇଲାମାଙ୍କ ସ୍ଥିତି କେବଳ ତିବ୍ବତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଥିବା ତାଙ୍କର ସମସ୍ତ ଅନୁଗାମୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର କେବଳ ଦଲାଇଲାମାଙ୍କର ରହିଛି।
ଦଲାଇଲାମାଙ୍କ ୯୦ତମ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରିଜିଜୁ ଓ ଜନତା ଦଳ (ୟୁନାଇଟେଡ୍) ନେତା ଲଲନ ସିଂହ ଭାରତ ସରକାରଙ୍କ ପ୍ରତିନିଧି ଭାବେ ଧର୍ମଶାଳା ଗସ୍ତ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଏକ ଧାର୍ମିକ ଅବସର ବୋଲି ରିଜିଜୁ କହିଛନ୍ତି। ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ୬୦୦ ବର୍ଷ ପୁରୁଣା ଅନୁଷ୍ଠାନ ତାଙ୍କ ମୃତ୍ୟୁ ପରେ ମଧ୍ୟ ଜାରି ରହିବ ଏବଂ ପଞ୍ଚଦଶ ଦଲାଇଲାମାଙ୍କ ଚୟନ ସମ୍ପୂର୍ଣ୍ଣ ଭାବେ ଦଲାଇଲାମାଙ୍କ ସରକାରୀ କାର୍ଯ୍ୟାଳୟ ଗାଡେନ ଫୋଡ୍ରାଙ୍ଗ ଟ୍ରଷ୍ଟ ଉପରେ ନିର୍ଭର କରିବ ବୋଲି ସେ କହିବା ପରେ କେନ୍ଦ୍ରମନ୍ତ୍ରୀ ଏହି ମନ୍ତବ୍ୟ ଦେଇଛନ୍ତି।
ଦଲାଇଲାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି ଯେ ଭବିଷ୍ୟତର ଦଲାଇଲାମାଙ୍କୁ ମାନ୍ୟତା ମିଳିବାର ପ୍ରକ୍ରିୟା ୨୪ ସେପ୍ଟେମ୍ବର ୨୦୧୧ରେ ସ୍ପଷ୍ଟ ଭାବରେ ସ୍ଥାପିତ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ଏହା କରିବାର ଦାୟିତ୍ୱ କେବଳ ଗାଡେନ ଫୋଡ୍ରଙ୍ଗ ଟ୍ରଷ୍ଟର ସଦସ୍ୟଙ୍କ ଉପରେ ରହିବ। ତେବେ ଏହାକୁ ବେଜିଂ ଅନୁମୋଦନ ଦେବା ଦରକାର ବୋଲି ଚୀନ୍ ଜୋର ଦେଇଛି। ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୀନ୍ର ଆଇନ ଓ ନିୟମାବଳୀ ସହ ଧାର୍ମିକ ରୀତିନୀତି ଓ ଐତିହାସିକ ପରମ୍ପରାକୁ ପାଳନ କରିବା ଆବଶ୍ୟକ ବୋଲି ଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି। ୧୯୫୯ ମସିହାରୁ ଦଲାଇଲାମା ଭାରତରେ ନିର୍ବାସିତ ଜୀବନ ବିତାଉଛନ୍ତି, ବେଜିଂ ତାଙ୍କୁ ବିଚ୍ଛିନ୍ନତାବାଦୀ ବୋଲି ଆଖ୍ୟା ଦେଉଥିବା ବେଳେ ଦଲାଇଲାମାଙ୍କୁ ଅହିଂସା, ସମବେଦନା ଓ ସେମାନଙ୍କ ସାଂସ୍କୃତିକ ଓ ଧାର୍ମିକ ପରିଚୟ ରକ୍ଷା ପାଇଁ ତିବ୍ବତୀୟ ଲୋକଙ୍କ ସଂଘର୍ଷର ପ୍ରତୀକ ଭାବେ ବିଶ୍ୱବ୍ୟାପୀ ଦେଖାଯାଉଛି।
ଦଲାଇଲାମାଙ୍କ ଉତ୍ତରାଧିକାରୀ ବିବାଦ ତେଜିଲା
ଦଲାଇଲାମାଙ୍କ ଉତ୍ତରାଧିକାରୀଙ୍କୁ ବେଜିଂ ଅନୁମୋଦନ କରିବା ଉଚିତ ବୋଲି ଚୀନ୍ର ଦାବି ଉପରେ ଭାରତ ଗୁରୁବାର ତୀବ୍ର ଆପତ୍ତି ଉଠାଇ କହିଛି ଯେ ତିବ୍ବତୀୟ ଆଧ୍ୟାତ୍ମିକ ନେତାଙ୍କ ବ୍ୟତୀତ ଅନ୍ୟ କାହାର ଉତ୍ତରାଧିକାରୀ ଚୟନ କରିବାର ଅଧିକାର ନାହିଁ।
/sambad/media/media_files/2025/07/04/psazxzcfad-2025-07-04-07-42-52.jpg)