ଦିନକ ପରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ: ଯୋଗଦେବେ ୧୭୫ ଅତିଥି, ନିମନ୍ତ୍ରଣପତ୍ର‌ରେ ରହିଛି ସୁରକ୍ଷା କୋଡ୍‌ ନମ୍ବର

କାର୍ଯ୍ୟକ୍ରମ ସମୀକ୍ଷା କଲେ ଯୋଗୀ ‘ମୋଦୀ ସମସ୍ତ ଭକ୍ତଙ୍କୁ ପ୍ରତିନିଧିତ୍ବ କରିବେ’

ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଭୂମି ପୂଜନ ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। କରୋନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମ ସରକାରଙ୍କ ନିମନ୍ତେ ଅଧିକ ଆହ୍ବାନପୂର୍ଣ୍ଣ ହୋଇଛି। ଏହା ସତ୍ତ୍ବେ କଡ଼ା ସୁରକ୍ଷା ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ସାଧାରଣ ସଚିବ ଚମ୍ପତ ରାୟ କହିଛନ୍ତି, ଭୂମି ପୂଜନ ପାଇଁ ଅଯୋଧ୍ୟାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୫ଟି ଦିଗ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ଯୋଗଦେବେ ୧୭୫ ଅତିଥି
ଭୂମି ପୂଜନ ଉତ୍ସବରେ ୧୭୫ ଅତିଥି ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସ୍‌ଏସ୍‌ ମୁଖ୍ୟ ‌ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ଏବଂ ଭାରତ ଓ ନେପାଳର ସାଧୁସନ୍ଥମାନଙ୍କୁ ଆମନ୍ତ୍ରିତ କରାଯାଇଛି। ଭୂମି ପୂଜନ ପାଇଁ ଅଯୋଧ୍ୟା ଜମି ବିବାଦ ମାମଲାର ଜନୈକ ମୁଖ୍ୟ ଆବେଦନକାରୀ ଇକବଲ୍‌ ଅନ୍‌ସାରୀ ଏବଂ ମହମ୍ମଦ ୟୁନୁସ୍‌ଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣପତ୍ର ଇକବାଲଙ୍କୁ ପ୍ରଦାନ କରାଯାଇଛି।

ନିମନ୍ତ୍ରଣ ପତ୍ରରେ ୫ ଜଣଙ୍କ ନାମ
ନିମନ୍ତ୍ରଣ ପତ୍ରରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ‌ ରହିଛି। ସେମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀ ବେନ ପଟେଲ୍‌, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହନ୍ତ ନୃତ୍ୟଗୋପାଳ ଦାସ। ନିମନ୍ତ୍ରଣପତ୍ର‌ରେ ସୁରକ୍ଷା ସଂପର୍କିତ କୋଡ୍‌ ନମ୍ବର ରହିଛି। ପ୍ରବେଶ ବେଳେ ଏହି କାର୍ଡ‌୍‌କୁ ଭଲ ଭାବେ ଯାଞ୍ଚ କରାଯିବ। ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଅତିଥିମାନଙ୍କୁ ଜଣ ଜଣ କରି ଆମନ୍ତ୍ରିତ କରାଯାଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ଅଯୋଧ୍ୟା ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏଥିପାଇଁ ଅଯୋଧ୍ୟା ଉତ୍ସବମୁଖର ହୋଇଉଠିଛି। ଲକ୍ଷାଧିକ ଭକ୍ତ ମନ୍ଦିର ସ୍ଥଳକୁ ଯାଇ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଯୋଗୀ କହିଛନ୍ତି, କେବଳ ଯେଉଁମା‌ନେ ଭୂମି ପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଛନ୍ତି ସେମାନେ ହିଁ ଆସିବେ। ଅନ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିନିଧିତ୍ବ କରିବେ। କୌଣସି କାର୍ଯ୍ୟରେ ଯେଭଳି ତ୍ରୁଟି ନ ଉପୁଜେ ‌ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ‌କୋଭିଡ୍‌-୧୯ ନବ୍ୟାପିବା ଉପରେ ଧ୍ୟାନ ଦିଆଯାଇଛି। ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଯୋଗୀ କହିଛନ୍ତି। ତେବେ ଏହି ଐତିହାସିକ ମୁହୂର୍ତ୍ତରେ ସମସ୍ତ ଭକ୍ତ ସେମାନଙ୍କ ଘରେ ଅଗଷ୍ଟ ୪ ଏବଂ ୫ ତାରିଖରେ ଦୀପ ଜଳାଇ ଉତ୍ସବ ମନାଇବାପାଇଁ ଯୋଗୀ କହିଛନ୍ତି। ଧାର୍ମିକ ନେତାମାନେ ମନ୍ଦିର ସଜାଇବେ, ଦୀପୋତ୍ସବ ଆୟୋଜନ କରିବେ ଏବଂ ଅଖଣ୍ଡ ରାମାୟଣ ପାଠ କରି ମନ୍ଦିର ନିର୍ମାଣ ପାଇଁ ପ୍ରାଣବଳି ଦେଇଥିବା ବ୍ୟକ୍ତି ଓ ସେମାନଙ୍କ ପୂର୍ବ ପୁରୁଷଙ୍କୁ ମନେ ପକାଇବେ। ଯେତେବେଳେ ପ୍ରଧାନମନ୍ତ୍ରୀ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ସେ ସମୟରେ କେବଳ ଅଯୋଧ୍ୟା ନୁହେଁ ସମଗ୍ର ଦେଶପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ।

ସମ୍ବନ୍ଧିତ ଖବର