ଅଲପୁଝା: କେରଳର ଅଲପୁଝା ଜିଲ୍ଲାର ମନ୍ନାରରୁ ୧୫ ବର୍ଷ ତଳେ ନିଖୋଜ ହୋଇଥିବା ଜଣେ ମହିଳାଙ୍କ କଙ୍କାଳ ବୁଧବାର ପୁଲିସ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଏକ ସୂଚନାକୁ ଭିତ୍ତି କରି ପୁଲିସ ମହିଳାଙ୍କ ସ୍ୱାମୀଙ୍କ ଘରେ ଥିବା ସେପ୍ଟିକ୍ ଟାଙ୍କି ଯାଞ୍ଚ କରିବା ପରେ ହତ୍ୟାକାଣ୍ଡର ପ୍ରମାଣ ମିଳିଥିଲା। କାଲା ନାମକ ଏହି ମହିଳା ୨୦୦୮-୨୦୦୯ ମସିହାରେ ୨୭ ବର୍ଷ ବୟସରେ ମନ୍ନାରସ୍ଥିତ ନିଜ ଘରୁ ନିଖୋଜ ହୋଇଯାଇଥିଲେ। ସେହି ସମୟରେ କୌଣସି ନିଖୋଜ ରିପୋର୍ଟ ଦାଖଲ ହୋଇ ନ ଥିଲା। ତେବେ କିଛି ମାସ ତଳେ ଅମ୍ବାଲାପୁଜା ଥାନା ପୁଲିସ ସେ ନିଖୋଜ ହୋଇଥିବା ଖବର ପାଇ ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ କାଲାଙ୍କ ସ୍ୱାମୀ ଅନୀଲ କୁମାରଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇଛି। ଆଲାପୁଜା ଏସ୍ପି ଚୈତ୍ର ତେରେସା ଜନ୍ କହିଛନ୍ତି ଯେ ଅନିଲ ବର୍ତ୍ତମାନ ଇସ୍ରାଏଲରେ କାମ କରୁଛନ୍ତି ଏବଂ ତାଙ୍କୁ କେରଳ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ୫ ଜଣ ହାଜତରେ ଥିବା ବେଳେ ଖୁବ୍ଶୀଘ୍ର ଅନିଲଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି। ପ୍ରଥମେ ଖବର ପ୍ରସାରିତ ହୋଇଥିଲା ଯେ କାଲା ତାଙ୍କ ଅଳଙ୍କାର ନେଇ ଅନ୍ୟ କାହା ସହ ଚମ୍ପଟ ହୋଇଯାଇଛନ୍ତି। ଭିନ୍ନ ସମ୍ପ୍ରଦାୟରୁ ଆସିଥିବା କାଲା ଓ ଅନିଲ କୁମାର ପରିବାରର ବିରୋଧ ସତ୍ତ୍ୱେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ଥିଲା। ଅନିଲ ଏବେ ପୁନର୍ବିବାହ କରି ଇସ୍ରାଏଲରେ ରହୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp