ନୂଆଦିଲ୍ଲୀ: ଦୀର୍ଘଦିନର ଆଇନଗତ ଲଢେଇ ପରେ ଏବେ ମିଳିଛି ନ୍ୟାୟ। ୮ବର୍ଷ ତଳେ ମୃତ୍ୟୁବରଣ କରିଥିବା କୁକୁରର ମାଲିକଙ୍କୁ ଏବେ ମିଳିବ ୩ ଲକ୍ଷ ଟଙ୍କାର କ୍ଷତିପୂରଣ । ମହାରାଷ୍ଟ୍ର ଚନ୍ଦ୍ରପୁରରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କୁକୁରର ମାଲିକକୁ ସୁଧ ସହ କ୍ଷତିପୂରଣ ଦେବାକୁ କହିଛନ୍ତି କୋର୍ଟ।

Advertisment

ସୂଚନା ମୁତାବକ, ଚନ୍ଦ୍ରପୁର ସହରର ଟୁକୁମ୍ ନିବାସୀ ଉମେଶ ଭଟକର ଜାନୁଆରି ୧୦, ୨୦୧୩ତାରିଖ ଦିନ ସକାଳ ୬.୩୦ ସମୟରେ ନିଜର ୧୧ବର୍ଷର ପ୍ରିୟ କୁକୁର ଜନ୍ ସହିତ ଆୟାପ୍ପା ମନ୍ଦିର ନିକଟରେ ବୁଲୁଥିଲେ। ଏହି ସମୟରେ ଜନକୁ ଏକ ସ୍କୁଲ ବସ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜନର ମୃତ୍ୟୁ ହୋଇଥିଲା। ଏହା ପରେ ଭଟକର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଜନଙ୍କ ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପ୍ରମାଣିତ ହୋଇଥିଲା ଯେ ସେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଏହା ପରେ ଦୋଷୀ ଟ୍ରାଭେଲ୍ସ କମ୍ପାନି ବିରୋଧରେ ଭଟକର କୋର୍ଟରେ ବଡ଼ ଲଢ଼େଇ ଲଢ଼ିଥିଲେ । ଶେଷରେ ୮ବର୍ଷ ପରେ ଏବେ କୋର୍ଟ ଘଟଣା ପାଇଁ ଦାୟୀ ବସ ଚାଳକ ଏବଂ ବୀମା କମ୍ପାନିକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୁକୁରର ମାଲିକଙ୍କ ପକ୍ଷ ରଖୁଥିବା ହୋଇଥିବା ଓକିଲ ଜୟପ୍ରକାଶ ପାଣ୍ଡେ କୋର୍ଟକୁ କହିଥିଲେ ଯେ, “ଏହି ମାମଲାକୁ କୋର୍ଟକୁ ଆଣିବାର ଲକ୍ଷ୍ୟ କ୍ଷତିପୂରଣ ରାଶି ନେବା ନୁହେଁ  ବରଂ ସଡକ ଉପରେ ମଣିଷ ଚାଲୁଥାଉ କି ପଶୁ ସେମାନଙ୍କୁ ନଜରରେ ରଖି ଗାଡି ଚଳାଇବା ଏକ ଚାଳକର କର୍ତ୍ତର୍ବ୍ୟ” । କୋର୍ଟ ଓକିଲଙ୍କ କଥାକୁ ସମ୍ମାନ ଦେଇ ନିଷ୍ପତ୍ତି ଶୁଣାଇଥିବା ଜଣାପଡ଼ିଛି।