ରାଷ୍ଟ୍ରପତିଙ୍କ ଗସ୍ତବେଳେ ଅଘଟଣ ଟ୍ରାଫିକ୍‌ରେ ଫସି ମହିଳା ଉଦ୍ୟୋଗୀଙ୍କ ମୃତ୍ୟୁ

ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି କ୍ଷମା ମାଗିଲେ ପୁଲିସ ମୁଖ୍ୟ

ଲକ୍ଷ୍ନୌ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ପାଇଁ ଗତକାଲି କାନପୁରରେ ସୁରକ୍ଷା କଡ଼ାକଡ଼ି ହୋଇଥିଲା। କାନପୁରରରେ ଏଥିପାଇଁ ଟ୍ରାଫିକ୍‌ କଟକଣା ମଧ୍ୟ ଲାଗୁ ହୋଇଥିଲା। ଏହି କଟକଣା ପାଇଁ ଜଣେ ଗୁରୁତର ଅସୁସ୍ଥ ଥିବା ମହିଳା ଉଦ୍ୟୋଗୀ ଠିକ୍‌ ସମୟରେ ହସ୍ପିଟାଲ୍‌ ପହଞ୍ଚି ପାରିଲେନି। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ରାଷ୍ଟ୍ରପତି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୁଲିସ ମଧ୍ୟ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ଏଭଳି ସ୍ଥିତି ପାଇଁ ଦାୟୀ ୪ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ଭାରତୀୟ ଶିଳ୍ପ ସଂଘ କାନପୁର ଶାଖାର ମୁଖ୍ୟ ବନ୍ଦନା ମିଶ୍ର (୫୦) ନିକଟରେ କରୋନାରୁ ସୁସ୍ଥ ହୋଇଥିଲେ।

ତେବେ ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ୍‌ ନିଆଯାଉଥିଲା । ତେବେ ଯେଉଁ ରାସ୍ତାରେ ତାଙ୍କୁ ହସ୍ପିଟାଲ୍‌ ନିଆଯାଉଥିଲା ସେହି ସମାନ ରାସ୍ତାରେ ରାଷ୍ଟ୍ରପତି ଯିବାକୁଥିବାରୁ ଟ୍ରାଫିକ୍‌ ବନ୍ଦ କରାଯାଇଥିଲା। ଫଳରେ ବନ୍ଦନାଙ୍କର ହସ୍ପିଟାଲ୍‌ ପହଞ୍ଚିବାରେ ବିଳମ୍ବ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଗଲା। ଉକ୍ତ ଘଟଣା ପାଇଁ କାନପୁର ପୁଲିସ ମୁଖ୍ୟ ଅସୀମ ଅରୁଣ କ୍ଷମା ମାଗିଛନ୍ତି। ଏକ ଟ୍ବିଟ କରି କାନପୁର ପୁଲିସ ମୁଖ୍ୟ କହିଛନ୍ତି, ପୁଲିସ ତରଫରୁ ମୁଁ କ୍ଷମା ପ୍ରାର୍ଥନା କରୁଛି। ବନ୍ଦନା ମିଶ୍ରଙ୍କ ମୃତ୍ୟୁ ପାଇଁ ମୁଁ ଖୁବ୍‌ ଦୁଃଖିତ। ଏହା ଭବିଷ୍ୟତ ପାଇଁ ଏକ ବଡ଼ ଶିକ୍ଷା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର