କାବୁଲ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୦୮ ଛୁଇଁଲା: ୯୫ ଆଫଗାନ ନାଗରିକଙ୍କ ମୃ୍ତ୍ୟୁ

ଆମେରିକାର ୧୩ ସୈନିକ ନିହତ, ଅଷ୍ଟ୍ରେଲିଆ ସମେତ ୫ ରାଷ୍ଟ୍ର ଉଦ୍ଧାର କାର୍ଯ୍ୟ ବନ୍ଦ କଲେ

କାବୁଲ: କାବୁଲ ବିମାନ ବନ୍ଦରରେ ଗତକାଲି ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟ ୧୦୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ୯୫ ଜଣ ଆଫଗାନ ନାଗରିକ ଏବଂ ୧୩ ଜଣ ଆମେରିକୀୟ ସୈନିକ ରହିଥିବା ଜଣାପଡ଼ିଛି। ଏବେ ବି ଶତାଧିକ ଲୋକ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ମୃତ୍ୟୁ ସଂଖ୍ୟ ବଢ଼ିବା ଆଶଙ୍କା ରହିଛି। ଆକ୍ରମଣକୁ ନେଇ କାବୁଲରେ ସ୍ଥିତି ଅତି ଜଟିଳ ରହିଛି ଏବଂ ଆମେରିକୀୟ ସେନା ବିମାନ ବନ୍ଦରରେ ସତର୍କତା ବଢ଼ାଇ ଦେଇଛନ୍ତି। ଅତି ଭୟାବହ ସ୍ଥିତି ଭିତରେ ବି ଆମେରିକା ଆଜି ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ଏବଂ ସନ୍ଧ୍ୟା ସୁଦ୍ଧା ୭୫୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି। ତେବେ ସୁରକ୍ଷା ସ୍ଥିତି ଅତି ଜଟିଳ ରହିଥିବା ଏବଂ ଆଇଏସ୍‌-କେ ଆତଙ୍କବାଦୀମାନେ ସହରର ବିଭିନ୍ନ ଅଂଚଳରେ ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଥିବାରୁ ଅନେକ ରାଷ୍ଟ୍ର କାବୁଲରୁ ଉଦ୍ଧାର ପ୍ରକ୍ରିୟା ସାମୟିକ ଭାବେ ବନ୍ଦ କରିଛନ୍ତି।

ଆଜି ଅଷ୍ଟ୍ରେଲିଆ, କାନାଡା, ଡେନ୍‌ମାର୍କ, ନେଦରଲାଣ୍ଡ୍‌ ଏବଂ ବେଲ୍‌ଜିୟମ କର୍ତ୍ତୃପକ୍ଷ କହିଛନ୍ତି ଯେ କାବୁଲ ବିମାନ ବନ୍ଦରରୁ ସେମାନଙ୍କର କୌଣସି ବିମାନ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଉଡ଼ିବ ନାହିଁ। ତେବେ ପୂର୍ବରୁ ତାଲିବାନ ଅଗଷ୍ଟ ୩୧ ହିଁ ଉଦ୍ଧାର କାର୍ଯ୍ୟ ଜାରି ରଖିବାର ଶେଷ ଦିନ ବୋଲି ଘୋଷଣା କରି ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କୁ ଧମକାଇଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି ଏବଂ ଏହି ଧାର୍ଯ୍ୟ ସମୟ ଭିତରେ ହିଁ ଉଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ପ୍ରୟାସ ଚଳାଇଛି। ଅଗଷ୍ଟ ୧୪ରୁ ଆଜି ସୁଦ୍ଧା ଆମେରିକା ଲକ୍ଷାଧିକ ଲୋକଙ୍କୁ ଖାଲି କରାଇ ସାରିଲାଣି। ଆଜି ସ୍ପେନ୍‌ ସରକାର କାବୁଲରୁ ନିଜ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ କରିଥିବାଘୋଷଣା କରିଛନ୍ତି। ଅଧିକାଂଶ ରାଷ୍ଟ୍ର କାବୁଲରୁ ସେମାନଙ୍କ ନାଗରିକମାନଙ୍କୁ ଦୁବାଇ ସ୍ଥାନାନ୍ତର କରୁଛନ୍ତି ଏବଂ ସେଠାରୁ ଅନ୍ୟତ୍ର ଯିବା ବ୍ୟବସ୍ଥା କରାଯାଉଛି । ଗୋଟିଏ ପଟେ ତାଲିବାନ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସର୍ବାଧିକ ଗୁରୁତ୍ବ ଦେଇ ବୟାନ ଦେଉଥିବା ବେଳେ ଅନ୍ୟପଟେ ଏହାର ଆତଙ୍କବାଦୀମାନେ କାବୁଲର ବିଭିନ୍ନ ପ୍ରବେଶ ପଥକୁ ଅବରୋଧ କରି ନାଗରିକଙ୍କୁ ଅଟକ ରଖୁଛନ୍ତି ଏବଂ ବିଦେଶୀ ନାଗରିକଙ୍କୁ ଯାଞ୍ଚର ସମ୍ମୁଖୀନ ହେବାକୁ ବାଧ୍ୟ କରି ନିର୍ଯାତନା ଦେଉଥିବାରୁ ବିଶ୍ବବ୍ୟାପୀ ଉଦ୍‌ବେଗ ବଢ଼ିଛି।

ସମ୍ବନ୍ଧିତ ଖବର