ଦିନକରେ ୨୭,୫୫୩ ସଂକ୍ରମିତ: ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୦ ଟପିଲା

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଛି ଏବଂ ଓମିକ୍ରନ୍‌ ପ୍ରଜାତି ଦ୍ବାରା ଦ୍ରୁତ ସଂକ୍ରମଣ ହେଉଥିବାରୁ ସକ୍ରିୟ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆଜି ସନ୍ଧ୍ୟା ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୦ ଅତିକ୍ରମ କରିଛି ଏବଂ ଆଗକୁ ଓମିକ୍ରନ୍‌ଜନିତ ସଂକ୍ରମଣ ପାଇଁ ବଡ଼ ଲହର ଆସିବା ଆଶଙ୍କା ଥିବାରୁ ବିଭିନ୍ନ ରାଜ୍ୟ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ମୁତାବକ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୮୦୧ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ମୋଟ ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୭୦ ହୋଇଛି। ବିଗତ ୨୪ ଘଣ୍ଟାରେ ୯୨୪୯ ଜଣ ଆରୋଗ୍ୟ ହୋଇଥିବା ଜଣାପଡ଼ିଛି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଆଜି ସୁଦ୍ଧା ୧୪୫ କୋଟି ୪୪ ଲକ୍ଷ ୫ ହଜାର ଡୋଜ୍‌ ଟିକା ପ୍ରଦାନ କରାଯାଇଛି । ଗତକାଲି ୨୫ ଲକ୍ଷ ୭୫ ହଜାର ୨୨୫ଟି ଡୋଜ୍‌ ଦିଆଯାଇଥିଲା। ଓମିକ୍ରନ ସଂକ୍ରମଣ ୨୩ଟି ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ପ୍ରାୟ ୫ ଶହ ମାମଲା ରହିଛି। ଦିଲ୍ଲୀରେ ୩୬୦ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧୩୬, ତାମିଲନାଡ଼ୁରେ ୧୧୭, କେରଳରେ ୧୦୯ଟି ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ସଂକ୍ରମଣ ସାଂଘାତିକ ରୂପ ନେବା ପୂର୍ବରୁ ରାଜ୍ୟମାନେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର