ଦେଶରେ ଆରୋଗ୍ୟ ଓ ମୃତ୍ୟୁ ଅନୁପାତ ୯୦:୧୦କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। କିନ୍ତୁ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ‌ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇଛି। ଗତ ୧୫ ଦିନ ତୁଳନାରେ ଦେଶରେ ଆରୋଗ୍ୟ ଏବଂ ମୃତ୍ୟୁ ଅନୁପାତ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଦେଶରେ ଏବେ ଆରୋଗ୍ୟ ଏବଂ ମୃତ୍ୟୁ ଅନୁପାତ ୯୦:୧୦ ରହିଛି। ତେବେ ଏପ୍ରିଲ ୧୭ ତାରିଖରେ ଦେଶରେ ଆରୋଗ୍ୟ ଏବଂ ମୃତ୍ୟୁ ଅନୁପାତ ୮୦:୨୦ ଥିଲା। ସୋମବାର ଦିନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୧୦୭୪ ଜଣ ଆରୋଗ୍ୟ ହୋଇଥିଲେ।

ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ମିଳୁଛି ଏବଂ କ‌ରୋନାକୁ ବେଶ୍‌ ଭଲଭାବେ ମୁକାବିଲା କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧ‌ା ଦେଶରେ ମୋଟ୍‌ ସକ୍ରୀୟ ମାମଲା ୨୯,୬୮୫ ଥିଲା। ତେବେ ୧୧,୭୬୧ ଜଣ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିଲେ। ଏହି ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ଗତ ଏପ୍ରିଲ ୧୭ ତାରିଖ ତୁଳନାରେ ୧୩.୦୬ ପ୍ରତିଶତରୁ ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ କ‌ରୋନା ମାମଲା ଦ୍ବିଗୁଣା ହେବା ସମୟ ବି ୧୨ ଦିନକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ମାମଲା ଦ୍ବିଗୁଣ ହେବାପାଇଁ ଏବେ ୧୨ ଦିନ ଲାଗୁଛି। ଗତ ୧୫ ଦିନ ପୂର୍ବେ ଏହା ୮.୨ ଦିନ ଥିଲା। କିନ୍ତୁ ଲକ୍‌ଡାଉନ୍‌ ପୂର୍ବରୁ ମାମଲା ଦ୍ବିଗୁଣା ହେବାପାଇଁ ୩.୪ ଦିନ ଲାଗୁଥିଲା‌।

ସମ୍ବନ୍ଧିତ ଖବର