ଦେଶରେ କରୋନା ମୃତ୍ୟୁ ଲକ୍ଷେ ୨୦ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୮୦ ଲକ୍ଷ ପହଞ୍ଚିବ। ଅନ୍ୟପକ୍ଷେ କରୋନା ମୃତ୍ୟୁ ଲକ୍ଷେ ୨୦ ହଜାର ଟପିଯାଇଛି। ବୁଧବାର ଦିନ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୭୯ ଲକ୍ଷ ୯୦ ହଜାର ୩୨୨ରେ ପହଞ୍ଚିଛି। ଗତକାଲି ଦିନକରେ ୪୩ ହଜାର ୮୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୫୦୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୭୯ ପ୍ରତିଶତ ମୃତ୍ୟୁ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ମହାରାଷ୍ଟ୍ରରୁ ଏବେ ବି ଦେଶର ସର୍ବାଧିକ କୋଭିଡ୍ ମୃତ୍ୟୁ ରିପୋର୍ଟ କରାଯାଇଛି। ସମଗ୍ର ବିଶ୍ବରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ମାମଲା ୫,୫୫୨ ରହୁଥିବା ବେଳେ ଭାରତରେ ପ୍ରତି ୧୦ ଲକ୍ଷରେ ସଂକ୍ରମଣ ୫,୭୯୦ ରହୁଛି। ସେହିପରି ଭାରତରେ ପ୍ରତି ୧୦ ଲକ୍ଷରେ ୮୭ ଜଣଙ୍କ ମୃତ୍ୟୁ ହେଉଥିବାବେଳେ ବିଶ୍ବରେ ୧୪୮ ଜଣଙ୍କର ମୃତ୍ୟୁ ହେଉଛି। ଦେଶରେ କୋଭିଡ୍‌ ମୃତ୍ୟୁହାର ଏବେ ୧.୫୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ଏବେ ୬ ଲକ୍ଷ ୧୦ ହଜାର ୮୦୩ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୭.୬୪ ପ୍ରତିଶତ। ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରେ ଆରୋଗ୍ୟଙ୍କ ସଂଖ୍ୟା ୭ ହଜାରରୁ ଅଧିକ ରହୁଛି।

ସମ୍ବନ୍ଧିତ ଖବର