ବିଶ୍ବରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଲା, ବ୍ରାଜିଲ୍‌ ମୃତ୍ୟୁସଂଖ୍ୟା‌ ଲୁଚାଉଛନ୍ତି ବଲ୍‌ସୋନାରୋ

ବିଶ୍ବରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ଦୀର୍ଘ ୬ ମାସରୁ ଅଧିକ ସମୟ ଧରି କରୋନା ମହାମାରୀ ସହ ଲଢ଼ୁଛି। ପ୍ରାୟ ୧୦ଟି ରାଷ୍ଟ୍ର କରୋନାଭାଇରସ୍‌ ଯୋଗୁଁ ଭୟଙ୍କର ପ୍ରଭାବିତ ହୋଇଥିବା ବେଳେ ବିଶ୍ବ‌ରେ କ‌‌ରୋନା ମୃତ୍ୟୁସଂଖ୍ୟା ଆଜି ୪ ଲକ୍ଷ ଟପିଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ଜାନୁଆରି ୧୦ରେ ପ୍ରଥମ ମୃତ୍ୟୁ ହୋଇଥିଲା ଚୀନ୍‌ର ଉହାନ୍‌ରେ। କିନ୍ତୁ ପରେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ରୋଗ ମାଡ଼ିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଲା। ଆମେରିକାରେ ସର୍ବାଧିକ ୧ ଲକ୍ଷ ୧୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୋଟ୍‌ ୧୯ ଲକ୍ଷ ୮୮ ହଜାରରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ବରେ ୭୯ ହଜାର ୮୨୨ ନୂଆ ମାମଲା ଚିହ୍ନଟ ହୋଇଥିଲା। ଶନିବାର ସନ୍ଧ୍ୟା ସୁଦ୍ଧା ବିଶ୍ବରେ ମୋଟ୍‌ ୩୧.୩୧ ଲକ୍ଷ ସକ୍ରିୟ ମାମଲା ରହିଛି। ଏଥିସହ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩ ହଜାର ଟପିଛି। ବ୍ରାଜିଲ୍‌ରେ ଏବେ ସଂକ୍ରମଣ ବଢ଼ି ଚାଲିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ଖୁବ୍‌ ଶୀଘ୍ର ୭ ଲକ୍ଷରେ ପହଞ୍ଚିବ। ଏଠାରେ ମୃତ୍ୟୁସଂଖ୍ୟା ୩୬ ହଜାର ଟପିଯାଇଛି। ରୁଷ୍‌ରେ ମଧ୍ୟ ମାମଲା ୪ ଲକ୍ଷ ୭୦ ହଜାରରେ ପହଞ୍ଚିଲାଣି ।

ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟ ବଢ଼ିଚାଲିଥିଲେ ବି ବ୍ରାଜିଲ୍‌ ରାଷ୍ଟ୍ରପତି ଜେଆର୍‌ ବଲ୍‌ସୋନାରୋ ବ୍ରାଜିଲ୍‌ରେ ଦେଶର ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି। ବ୍ରାଜିଲ୍‌ ସରକାର ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଦୈନିକ ପ୍ରକାଶ କରୁଥିବା ବେଳେ ତାହା ହଠାତ୍‌ ବନ୍ଦ କରିଦେଇଛନ୍ତି। ଶୁକ୍ରବାର ଦିନ ବ୍ରାଜିଲ୍‌ର ସଂଘୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ୱେବସାଇଟ୍‌କୁ ପ୍ରତ୍ୟାହାର କରିନେଇଛନ୍ତି। ଏହି ୱେବସାଇଟ୍‌ରେ ବ୍ରାଜିଲ୍‌ର ଦୈନିକ , ସାପ୍ତାହିକ ଏବଂ ମାସିକ ସଂକ୍ରମଣ ମାମଲା ଏବଂ ମୃତ୍ୟୁସଂଖ୍ୟାଜନିତ ତଥ୍ୟ ଦିଆଯାଉଥିଲା। କିନ୍ତୁ ସରକାର ହଠାତ୍‌ ଏହି ତଥ୍ୟ ଦେବା ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର