ବିଶ୍ବରେ କୋଭିଡ୍‌ ମୃତ୍ୟୁ ୩୦ ଲକ୍ଷ ଟପିଲା

ସଂକ୍ରମଣରୁ ଟିକା ମୁକୁଳାଇ ପାରିବନି: ସେରୋ ସର୍ଭେ ବିଶେଷଜ୍ଞ

ନୂଆଦିଲ୍ଲୀ: ବ୍ରାଜିଲ, ଭାରତ ଓ ଫ୍ରାନ୍ସ ପରି ଦେଶରେ ସଂକ୍ରମଣ ସ୍ଥିତି ଭୟାନକ ହେବା ଦ୍ବାରା ସାରା ବିଶ୍ବରେ ଶନିବାର ସୁଦ୍ଧା କୋଭିଡ୍‌ରେ ୩୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାଯାଇଛି। ଏପରିକି ଗତବର୍ଷ ସଂକ୍ରମଣର ଶୀର୍ଷ ଛୁଇଁଥିବା ସେପ୍ଟେମ୍ବର ୨୮ ସୁଦ୍ଧା ମଧ୍ୟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁ ନଥିଲା। ତେବେ ଏହାର ପାଞ୍ଚ ମାସ ଭିତରେ ଗତ ୨୧ ତାରିଖ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ଡେଇଁ ଯାଇଥିଲା।

ଅପରପକ୍ଷେ, ବିଗତ ଦୁଇ ମାସରୁ କମ୍‌ ସମୟ ଭିତରେ ଆଉ ୧୦ ଲକ୍ଷ ମୃତକ ସେହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି। ସାମଗ୍ରିକ ଭାବେ ମୃତକଙ୍କ କଥା ଉଠିଲେ ଆମେରିକା(୫,୭୯,୯୪୨), ବ୍ରାଜିଲ (୩,୬୯,୦୨୪) ଓ ମେକ୍ସିକୋ (୨,୧୧,୬୯୩) ଆଦି ଦେଶ ଆଗରେ ରହିଥିବା ବେଳେ ଭାରତ (୧,୭୫,୬୭୩) ମଧ୍ୟ ସେମାନଙ୍କ ଠାରୁ ବେଶୀ ପଛରେ ନାହିଁ। ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣରେ ବୃଦ୍ଧି ଘଟି ଭାରତ (୧,୪୫,୨୬,୬୦୯) ବ୍ରାଜିଲ (୧,୩୮,୩୪,୩୪୨)କୁ ଟପି ଆମେରିକା (୩,୨୩,୦୫,୯୧୨) ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଦେଶ ହେବାର ଅପଯଶ ମୁଣ୍ଡାଇ ସାରିଛି। ଏଭଳି ସ୍ଥିତିରେ ଦୈନିକ ମୃତକଙ୍କ ସଂଖ୍ୟାରେ ଅନୁରୂପ ବୃଦ୍ଧି ଜାରି ରହିଲେ ଏହା ମେକ୍ସିକୋକୁ ଟପି ଆମେରିକା ଓ ବ୍ରାଜିଲ ପରେ ବିଶ୍ବର ତୃତୀୟ ସର୍ବାଧିକ ମୃତକଙ୍କୁ ବହନ କରିବା କିଛି ବିଚିତ୍ର ନୁହେଁ।

ନୂଆଦିଲ୍ଲୀ: ଜଣେ କୋଭିଡ୍‌ ଟିକା ନେଇଗଲେ ଯେ ସେ ସଂପୂର୍ଣ୍ଣ ସଂକ୍ରମଣମୁକ୍ତ, ତାହା ଭାବିବା ଭୁଲ୍‌ ହେବ। ଅପରପକ୍ଷେ, ଟିକା କେବଳ ରୋଗର ଭୀଷଣତାକୁ କମାଇବା ସହ ଉପଶମ କରିବାରେ ସହାୟକ ହୋଇଥାଏ ବୋଲି ସ୍ବାସ୍ଥ୍ୟ ଓ ବିକାଶ ଅର୍ଥନୀତିଜ୍ଞ ପ୍ରଫେସର ଅନୁପ ମାଲାନି କହିଛନ୍ତି। ଅବଶ୍ୟ ଟିକା ନେଲେ ମଧ୍ୟ ପୁନଃସଂକ୍ରମଣର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ଦେଶରେ ସମ୍ପ୍ରତି ଦେଖାଦେଇଥିବା ଅହେତୁକ ସଂକ୍ରମଣ ବୃଦ୍ଧି ପାଇଁ ଏପରି ପୁନଃସଂକ୍ରମଣକୁ ସେ ଦାୟୀ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ସେରୋ ସର୍ବେକ୍ଷଣ ଚଳାଇଥିବା ତଥା ସିକାଗୋ ବିଶ୍ବବିଦ୍ୟାଳୟର ଲ’ ସ୍କୁଲ ଓ ପ୍ରିଜକର ଭେଷଜ ସ୍କୁଲର ପ୍ରଫେସର ମାଲାନିଙ୍କ ମତରେ ପୂର୍ବର ସଂକ୍ରମଣ ଓ ଟିକା କେବେ ଜଣକୁ ସଂକ୍ରମିତ ହେବାରୁ ରୋକିପାରିବନି। ତେବେ ସଂକ୍ରମଣଜନିକତ ମୃତ୍ୟୁ ବା ଅନ୍ୟାନ୍ୟ ଭୟାବହତାକୁ ଟିକା ଦୂରେଇଦେଇଥାଏ। ଏଥି ସହିତ ଅନ୍ୟକୁ ସଂକ୍ରମିତ କରିବାର ଆଶଙ୍କା ମଧ୍ୟ କମାଇ ଦେଇଥାଏ। ସୁତରାଂ ଟିକା ନେଲେ ପରେ ପୁନଃସଂକ୍ରମଣର ଆଶଙ୍କା ରହିଲେ ବି ତାହା ବେଶୀ କ୍ଷତିକାରକ ହେବନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର