ନୂଆଦିଲ୍ଲୀ: କରୋନା ମହାମାରୀକୁ ୨ ବର୍ଷ ନପୁରୁଣୁ ବିଶ୍ବରେ ମୃତ୍ୟୁସଂଖ୍ୟା ୫୦ ଲକ୍ଷ ଟପିଯାଇଛି। ଆମେରିକା, ବ୍ରିଟେନ, ବ୍ରାଜିଲ୍ ଏବଂ ଅନ୍ୟ ଉଚ୍ଚ ମଧ୍ୟବିତ୍ତ ଓ ଅଧିକ ରୋଜଗାର ଥିବା ରାଷ୍ଟ୍ରରେ ବିଶ୍ବ କରୋନା ମୃତ୍ୟୁର ପ୍ରାୟ ଅଧା ହୋଇଛି। ବିଶ୍ବର ଏକ ଅଷ୍ଟମାଂଶ ଜନସଂଖ୍ୟା ଏସବୁ ଅଞ୍ଚଳରେ ବାସ କରନ୍ତି। ବିଶ୍ବରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫,୦୦୦,୪୨୫ରେ ପହଞ୍ଚିଛି। ଏଥିରେୁ ଆମେରିକାରେ ସର୍ବାଧିକ ୭,୪୫,୮୩୬ ମୃତ୍ୟୁ ହୋଇଛି। ଅଞ୍ଚଳ ଭିତ୍ତିରେ ସବୁଠାରୁ ଅଧିକ କରୋନା ମୃତ୍ୟୁ ତଥା ମୋଟ କରୋନା ମୃତ୍ୟୁର ୨୧ ପ୍ରତିଶତ ଦକ୍ଷିଣ ଆମେରିକାରେ ହୋଇଛି। ଏହାପରକୁ ଉତ୍ତର ଆମେରିକା ଏବଂ ପଶ୍ଚିମ ୟୁରୋପ୍ରେ ୧୪ ପ୍ରତିଶତ କରୋନା ମୃତ୍ୟୁ ହୋଇଛି। ଦେଶ ହିସାବରେ ଆମେରିକା ପରକୁ ଭାରତରେ କରୋନା ମୃତ୍ୟୁସଂଖ୍ୟା ୪,୫୮,୪୭୦, ବ୍ରାଜିଲ୍ରେ ୬,୦୭,୮୬୦, ବ୍ରିଟେନ୍ରେ ୧,୪୦,୬୩୨, ରୁଷ୍ରେ ୨,୩୯,୬୯୨ ରେ ପହଞ୍ଚିଛି।
ଗତ କିଛି ସପ୍ତାହ ଧରି ବିଶ୍ବରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଚାଲିଛି। ଅକ୍ଟୋବର ୧୮-୨୪ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ପୂର୍ବ ସପ୍ତାହ ତୁଳନାରେ ସାମାନ୍ୟ ଅଧିକ ରହିଛି। ଅକ୍ଟୋବର ୧୮ରୁ ୨୪ ମଧ୍ୟରେ ବିଶ୍ବରେ ସଂକ୍ରମଣ ମାମଲା ୨.୯ ନିୟୁତ ଥିବାବେଳେ ୪୯ ହଜାର କରୋନା ମୃତ୍ୟୁ ହୋଇଛି। ସଂକ୍ରମଣ ଏବଂ ମୃତ୍ୟୁ ମାମଲାରେ ଯଥାକ୍ରମେ ୪ ଏବଂ ୫ ପ୍ରତିଶତ ବୃଦ୍ଧି ହୋଇଛି। ବିଶ୍ବରେ ନୂଆ ସଂକ୍ରମଣ ମାମଲାର କେବଳ ୫୭ ପ୍ରତିଶତ ୟୁରୋପ୍ରେ ଚିହ୍ନଟ ହୋଇଛି। ତେବେ ଆଫ୍ରିକୀୟ ଅଞ୍ଚଳ ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସଂକ୍ରମଣ କମିଛି।
ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୫୦ ଲକ୍ଷ ଟପିଥିବାବେଳେ ଟିକା ସମତା ଉପରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଗୁରୁତ୍ବାରୋପ କରିଛନ୍ତି। ଧନୀ ଦେଶଗୁଡ଼ିକରେ ଲୋକେ ତୃତୀୟ ଡୋଜ୍ ନେଲେଣି। କିନ୍ତୁ ଆଫ୍ରିକା ମହାଦେଶରେ ମୋଟ ଜନସଂଖ୍ୟା ମାତ୍ର ୫ ପ୍ରତିଶତ ଟିକା ନେଇଥିବାରୁ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ଟିକା ପ୍ରଦାନରେ ସମତା ରକ୍ଷା କରିବା ପାଇଁ ସେ ଗ୍ଲାସଗୋରେ କହିଛନ୍ତି।
ରୁଷ୍, ବ୍ରିଟେନ୍ ସ୍ଥିିତି ସାଂଘାତିକ
ନୂଆଦିଲ୍ଲୀ : କରୋନା ତୃତୀୟ ଲହର ଭୟ ବଢ଼ାଇଲାଣି। ଗତ କିଛି ଦିନ ହେବ କିଛି ରାଷ୍ଟ୍ରରେ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଅନୁଯାୟୀ ବିଶ୍ବରେ ୨୬ ହଜାରରୁ ଅଧିକ ଡେଲ୍ଟା ଏୱାଇ.୪.୨ ମାମଲା ଚିହ୍ନଟ ହୋଇଛି। ଡେଲ୍ଟା ପ୍ରଜାତିଠାରୁ ଏହା ଅଧିକ ସଂକ୍ରାମକ ଏବଂ ୪୨ଟି ରାଷ୍ଟ୍ରରେ ଏହା ଚିହ୍ନଟ ହୋଇଛି। ଭାରତରେ ୧୭ଟି ଡେଲ୍ଟା ଏୱାଇ.୪.୨ ମାମଲା ଚିହ୍ନଟ ହୋଇଛି। ଏହି ୧୭ଟି ମାମଲାରୁ ଆନ୍ଧ୍ରପ୍ରଦେଶରେ ୧୭, କେରଳରେ ୪, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ୨ ଏବଂ ମହାରାଷ୍ଟ୍ର, ଜମ୍ମୁ କାଶ୍ମୀରରେ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହରେ ଗଣମାଧ୍ୟମରେ ଉଦ୍ବୋଧନ ଦେଇ ହୁ ମହାନିର୍ଦ୍ଦେଶକ ଟେଡ୍ରସ ଆଦନମ କହିଥିଲେ ଯେ ବିଶ୍ବରେ କରୋନା ମହାମାରୀ ଶେଷ ହୋଇନାହିଁ। ୨ ମାସ ପରେ ବିଶ୍ବରେ ପୁଣି ସଂକ୍ରମଣ ବଢ଼ିଛି। ୟୁରୋପ୍ରେ ସଂକ୍ରମଣ ବଢ଼ିବାରୁ ବିଶ୍ବରେ ସଂକ୍ରମଣ ମାମଲା ବଢ଼ିଛି। ରୁଷ୍ରେ ଗତ କିଛି ଦିନ ଧରି ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ୁଛି। ରୁଷ୍ରେ ଗତ ୨୪ ଘଣ୍ଟାରେ ୪୦,୯୯୩ ମାମଲା ଚିହ୍ନଟ ହୋଇଥିବାବେଳେ ୧୧୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଚୀନ୍ର ରାଜଧାନୀ ବେଜିଂରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଚୀନ୍ରେ ଅଚାନକ ସଂକ୍ରମଣ ବଢ଼ିଯାଇଛି। ଇଂଲଣ୍ଡ୍ରେ ମଧ୍ୟ ସଂକ୍ରମଣ ବଢ଼ିଛି। ଇଂଲଣ୍ଡରେ ଏବେ ୫୦ ଜଣଙ୍କ ମଧ୍ୟରେ ଜଣେ ସଂକ୍ରମିତ। ଇଂଲଣ୍ଡ୍ରେ ଆର୍ ଭାଲ୍ୟୁ ଏବେ ୧ରୁ ଅଧିକ ରହିଛି।
୮ ରାଜ୍ୟରେ ସଂକ୍ରମଣ ବଢ଼ୁଛି
ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ମାମଲା ଲଗାତାର ୨୪ ଦିନ ଧରି ୨୦ହଜାର ତଳେ ରହିଛି। କିନ୍ତୁ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି। ଦେଶର ୮ଟି ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ସେହି ରାଜ୍ୟଗୁଡ଼ିକ ହେଲା କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଆସାମ। କେରଳରେ ଗତ ୨୪ ଘଣ୍ଟାରେ ୭,୧୬୭ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୧୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ମୋଟ୍ ସଂକ୍ରମଣ ମାମଲା ୪୯,୬୮,୬୫୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୩୧,୬୮୧କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ରବିବାର ଦିନ ୧୧୭୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ଗତ ୨୪ ଘଣ୍ଟାରେ ୧,୦୦୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ପଶ୍ଚିମବଙ୍ଗରେ ୯୧୪ ନୂଆ ମାମଲା ଚିହ୍ନଟ ହୋଇଛି। ଓଡ଼ିଶାରେ ୪୮୮ ନୂଆ ମାମଲା, ଆନ୍ଧ୍ରପ୍ରଦେଶରେ ୩୮୫, କର୍ଣ୍ଣାଟକରେ ୨୯୨, ଆସାମରେ ୨୧୨ ମାମଲା ଚିହ୍ନଟ ହୋଇଛି।
ଗତ ୨୪ ଘଣ୍ଟାରେ ଦେଶରେ ୧୨,୫୧୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୫୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୨,୮୫,୮୧୪ରେ ପହଞ୍ଚିଥିବାବେଳେ ୪,୫୮,୪୭୦ ଜଣଙ୍କ କରୋନାର ମୃତ୍ୟୁ ହୋଇଛି। ଦେଶରେ କୋଭିଡ୍ ଆରୋଗ୍ୟ ହାର ଏବେ ୯୮.୨୦ ପ୍ରତିଶତ। ଦେଶରେ ସକ୍ରିୟ ମାମଲା ୧,୫୮,୮୧୭। ୨୪୮ ଦିନରେ ଏହା ସବୁଠାରୁ କମ୍। ଦେଶରେ ଦୈନିକ ପଜିଟିଭ୍ ହାର ୧.୪୨ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୧.୧୭ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/corona-dead.jpg)