ନ୍ୟୁୟର୍କ: ହମାସ-ଇସ୍ରାଏଲ ଯୁଦ୍ଧରେ ଗାଜାପଟିରେ ଅଦ୍ୟାବଧି ଅନ୍ୟୂନ ୫୩ ଜଣ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କ ମୃତ୍ୟୁ ଘଟିଛି ବୋଲି କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟସ (ସିପିଜେ) ଏକ ରିପୋର୍ଟରେ କହିଛି। ନ୍ୟୁୟର୍କସ୍ଥିତ ଏହି ଅଣଲାଭକାରୀ ସଂସ୍ଥା ସୋମବାର କହିଛି ଯେ, ସାମ୍ବାଦିକ ମୃତ୍ୟୁ ପାଇଁ ଦ୍ୱିତୀୟ ସବୁଠାରୁ ମାରାତ୍ମକ ଦିନ ନଭେମ୍ବର ୧୮ ଥିଲା, ଯେଉଁଦିନ ୫ ଜଣ ପ୍ରାଣ ହରାଇଥିଲେ ଏବଂ ଯୁଦ୍ଧର ସବୁଠାରୁ ଭୟଙ୍କର ଦିନ ଅକ୍ଟୋବର ୭ ଥିଲା, ଯେଉଁଦିନ ୬ ଜଣ ସାମ୍ବାଦିକ ପ୍ରାଣ ହରାଇଥିଲେ। ଆଜି ଲେବାନନରେ ଇସ୍ରାଏଲ କରିଥିବା ବୋମାମାଡ଼ରେ ୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ହେଜବୋଲ୍ଲାର କେତେକ ପ୍ରତିଷ୍ଠାନ ଏବଂ ରକେଟ୍ ଲଞ୍ଚିଂ ପ୍ୟାଡ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିଲା ବୋଲି ଇସ୍ରାଏଲ କହିଥିବା ବେଳେ ଲେବାନନ ମିଡିଆ ଏହାକୁ ଖଣ୍ଡନ କରିଛି। ଇସ୍ରାଏଲ ଜାଣିଶୁଣି ଏକ ଭିଡ଼କୁ ଟାର୍ଗେଟ୍ କରିଥିଲା ବୋଲି ବିଭିନ୍ନ ସାମ୍ବାଦିକ ସଂଗଠନ ଦାବି କରିଛନ୍ତି।
ଉକ୍ତ ୫୦ ଜଣ ମୃତକଙ୍କ ମଧ୍ୟରେ ୪୫ ଜଣ ପାଲେଷ୍ଟିନୀୟ, ୪ ଜଣ ଇସ୍ରାଏଲୀ ଓ ଜଣେ ଲେବାନନ୍ ନାଗରିକ ଅଛନ୍ତି। ସିପିଜେ ଅନୁଯାୟୀ, ୧୧ ଜଣ ସାମ୍ବାଦିକ ଆହତ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି ଏବଂ ୧୮ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ଅନ୍ୟ ସାମ୍ବାଦିକଙ୍କୁ ହତ୍ୟା, ନିଖୋଜ, ଅଟକ, ଆହତ କିମ୍ବା ଧମକ ଦେବା ଏବଂ ଗଣମାଧ୍ୟମ କାର୍ଯ୍ୟାଳୟ ଓ ସାମ୍ବାଦିକଙ୍କ ଘରକୁ କ୍ଷତିଗ୍ରସ୍ତ କରିବାର ଅନେକ ଅନିଶ୍ଚିତ ରିପୋର୍ଟ ଉପରେ ମଧ୍ୟ ତଦନ୍ତ କରାଯାଉଛି। ସିପିଜେର ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା କାର୍ଯ୍ୟକ୍ରମ ସଂଯୋଜକ ଶେରିଫ୍ ମନସୁର କହିଛନ୍ତି, ସାମ୍ବାଦିକମାନେ ସଙ୍କଟ ସମୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସାଧାରଣ ନାଗରିକ। ସେମାନଙ୍କୁ ଯୁଦ୍ଧରତ ଦଳଗୁଡ଼ିକ ଟାର୍ଗେଟ କରିବା ଉଚିତ ନୁହେଁ।