ପଶ୍ଚିମବଂଗ ସରକାରଙ୍କ ବିବାଦୀୟ ନିଷ୍ପତ୍ତି: ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ କୁଳାଧିପତି

କୋଲକାତା: ପଶ୍ଚିମବଙ୍ଗ ସରକାର ଆଜି ରାଜ୍ୟର ବିଶ୍ବବିଦ୍ୟାଳୟ ସଂକ୍ରାନ୍ତରେ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଣିକି କୁଳାଧିପତି ହେବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଂଗ ବିଧାନସଭାରେ ଖୁବ୍‌ଶୀଘ୍ର ଏହାକୁ ନେଇ ବିଲ୍‌ ଆଗତ ହେବ। ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁ ଆଜି ଏ ସଂକ୍ରାନ୍ତରେ ଘୋଷଣା କରିବା ସହ ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହିଁ କୁଳାଧିପତି ହେବେ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି। କିଛିଦିନ ତଳେ ବିଶ୍ବବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତିକୁ ନେଇ ପଶ୍ଚିମବଂଗରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ଟଣାଓଟରା ସ୍ଥିତି ଉପୁଜିଥିଲା। ତେଣୁ ରାଜ୍ୟପାଳଙ୍କ କ୍ଷମତାକୁ ରାଜ୍ୟରେ ସଙ୍କୁଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ରାଜ୍ୟପାଳ ଜଗଦୀପ ଧନଖଡ଼ ବିଶ୍ବବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତି ନେଇ ତାଙ୍କର ଅଧିକାର ପ୍ରୟୋଗ କରିବାକୁ ଚାହିବାରୁ ସରକାର ଏଥିରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ରାଜଭବନର କୌଣସି ମଂଜୁରି ନଥାଇ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ସରକାର ଚାହୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କେତେକ ଶିକ୍ଷାବିତ୍‌ କହିଛନ୍ତି। ରାଜ୍ୟପାଳ ନିକଟରେ ଅଭିଯୋଗ କରିଥିଲେ ଯେ ୨୫ଟି ବିଶ୍ବବିଦ୍ୟାଳୟରେ ବେଆଇନ ଭାବେ କୁଳପତି ନିଯୁକ୍ତି ଦିଆଯାଇଛି ଏବଂ ନିଯୁକ୍ତି ସଂକ୍ରାନ୍ତରେ ତାଙ୍କର କୌଣସି ଅନୁମୋଦନ ନିଆଯାଇନାହିଁ। ତେବେ ଆଜି ରାଜ୍ୟ କ୍ୟାବିନେଟ୍‌ରେ ରାଜ୍ୟପାଳଙ୍କୁ କୁଳାଧିପତି ପଦରୁ ହଟାଇ ସେହି ସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ହୋଇଥିବା ନିଷ୍ପତ୍ତିକୁ ଜୋର୍‌ଦାର ବିରୋଧ କରାଯିବ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର