ଗ୍ଲାସ୍ଗୋ: ୨୦୨୦ ମସିହାରେ ବିଶ୍ବରେ ମିଥେନ ଗ୍ୟାସ ନିର୍ଗମନ ଯେତିକି ହେଉଥିଲା ୨୦୩୦ ମସିହା ସୁଦ୍ଧା ତାହାକୁ ୩୦ ପ୍ରତିଶତ କମାଇବା ପାଇଁ ସିଓପି ୨୬ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। ଆମେରିକା ଓ ୟୁରୋପୀୟ ସଂଘ ନେତୃତ୍ବରେ ଆରମ୍ଭ ହୋଇଥିବା ଉକ୍ତ ଉଦ୍ୟମରେ ପାଖାପାଖି ୯୦ଟି ଦେଶ ଯୋଗଦେବେ। ସିଓପି ୨୬ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ବ ଏବଂ ଗୋଟିଏ ଗ୍ରିଡ୍ ସମାଧାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସିଓପି୨୬ ସମ୍ମିଳନୀରେ ଯୋଗଦେବା ଅବସରରେ ବ୍ରିଟେନ, ଇସ୍ରାଏଲ, ୟୁକ୍ରେନ, ନେପାଳ ଆଦି ଦେଶର ନେତାମାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ମୋଦୀ ତାଙ୍କ ଇସ୍ରାଏଲୀ ପ୍ରତିପକ୍ଷ ନଫ୍ତଲି ବେନ୍ନେଟଙ୍କ ସହ ପ୍ରଥମ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୋଇଛି ବୋଲି ମୋଦୀ କହିଛନ୍ତି। ମୋଦୀ ଏବଂ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ସୋସିଆଲ ମିଡିଆରେ ଜାରି ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି, ଇସ୍ରାଏଲରେ ଆପଣ ସବୁଠୁ ଲୋକପ୍ରିୟ । ଇସ୍ରାଏଲ ଆସି ମୋ ଦଳରେ ଯୋଗ ଦିଅନ୍ତୁ।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ମୋଦୀ ଖୁବ୍ ଜୋର ହସିଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ବେନ୍ନେଟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହେବାପରେ ମୋଦୀଙ୍କ ସହ ଏହା ତାଙ୍କର ପ୍ରଥମ ଔପଚାରିକ ବୈଠକ। ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗ ଯଥା ଆଫଗାନିସ୍ତାନ, ଆତଙ୍କବାଦ ନିରୋଧ ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଜନସନ୍ଙ୍କ ସହ କଥାବାର୍ତ୍ତା ସଫଳ ହୋଇଛି ବୋଲି ମୋଦୀ କହିଛନ୍ତି। ସେହିପରି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସହ ମଧ୍ୟ ମୋଦୀ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ଦେଉବା ଗତ ଜୁଲାଇରେ ନେପାଳର ପ୍ରଧାନମନ୍ତ୍ରୀ ହେବାପରେ ମୋଦୀଙ୍କ ସହ ଏହା ପ୍ରଥମ ବୈଠକ। ଭାରତ ଏବଂ ନେପାଳ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି। ଜଳବାୟୁ ପରିବର୍ତ୍ତନ, କୋଭିଡ୍ ମହାମାରୀ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସହ ସମ୍ମିଳନୀରେ କଥା ହୋଇଛନ୍ତି। ନିରନ୍ତର ବିକାଶ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମାଇବା ଦିଗରେ ପଦକ୍ଷେପ ପାଇଁ ମୋଦୀ ଏବଂ ବିଲ ଗେଟ୍ସଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି ବୋଲି ପିଏମ୍ଓ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/654654123132132132132fsgsgsfsgfgsfg.jpg)