ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୨୭ ଓ ୨୮ରେ ନୂଆଦିଲ୍ଲୀଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ବୈଠକ ଅନୁ‌ଷ୍ଠିତ ହେବ। ଏଥିରେ ଚୀନ୍ ଓ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେବେ ବୋଲି ରବିବାର ଭାରତର ଜନୈକ ଅଧିକାରୀ କହିଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ଓ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ସେମାନଙ୍କ ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହଙ୍କ ସହ ଏପ୍ରିଲ ୨୭ରେ ଆଲୋଚନା କରିବେ। ଏପ୍ରିଲ ୨୮ରେ ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମୁଖ୍ୟ ବୈଠକ ଅନୁଷ୍ଠିତ ହେବ। ଆଗାମୀ ମେ ମାସରେ ଭାରତ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ କରିବ।

Advertisment

ତେବେ ଏସ୍‌ସିଓ ଶିଖର ସମ୍ମଳିନୀ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବ ଏବଂ ଭାରତ ଏହାର ଆୟୋଜନ କରିବ। ୨୦୧୭ରୁ ଏସ୍‌ସିଓରେ ଯୋଗ ଦେଇଥିବା ଭାରତ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜନ କରିବାର ସୁଯୋଗ ପାଇଛି। ଏସିଓରେ ସମୁଦାୟ ୮ଟି ଦେଶ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି- ଭାରତ, ଚୀନ୍, କାଜାଖସ୍ତାନ, କିରଗିଜସ୍ତାନ, ପାକିସ୍ତାନ, ରୁଷ୍, ତାଜିକିସ୍ତାନ ଓ ଉଜବେକିସ୍ତାନ।