ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ଅତ୍ୟନ୍ତ ଉଦ୍‌ବେଗଜନକ ସ୍ଥିତିରେ ଥିବାବେଳେ ଦିଲ୍ଲୀ ହାଇକୋର୍ଟ ଆଜି ଗଛକଟା ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କ ଜଙ୍ଗଲ ବିଭାଗ ଉପରେ ବର୍ଷିଛନ୍ତି। ପ୍ରଦୂଷଣ ବଢ଼ୁଥିବା ବେଳେ ଦିଲ୍ଲୀରେ ଗଛକଟାକୁ ଅନୁମତି ଦେଇଥିବା କାରଣ ପାଇଁ ହାଇକୋର୍ଟ ଜଙ୍ଗଲ ବିଭାଗ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଷ୍ଟିସ ଜସମିତ ସିଂହ କହିଛନ୍ତି, ବନ ବିଭାଗର ବେପରୁଆ କାର୍ଯ୍ୟ ପାଇଁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଅତି ସାଂଘାତିକ ସ୍ତରରେ ପହଞ୍ଚିଛି ଏବଂ ଏକ୍ୟୁଆଇ ଅତି ବିପଜ୍ଜନକ ସ୍ଥିତିରେ ରହିଛି। କୋର୍ଟ କହିଛନ୍ତି, ଆପଣ ଚାହୁଛନ୍ତି କି ଲୋକମାନେ ଗ୍ୟାସ୍ ଚାମ୍ବରରେ ରୁହନ୍ତୁ। ପ୍ରଦୂଷଣ ପାଇଁ ଆଜି ଦିଲ୍ଲୀ ବାସିନ୍ଦା ଯାହା ଭୋଗୁଛନ୍ତି ସେଥିପାଇଁ ଆପଣ ଦାୟୀ । ବିଚାରପତି ଜସମିତ ସିଂହ କହିଛନ୍ତି, ଦିଲ୍ଲୀରେ ବାୟୁର ମାନ ରେକର୍ଡ କରୁଥିବା ମେସିନ୍ ଅଛି। ଏହି ମେସିନ୍ ସର୍ବାଧିକ ୯୯୯ ଏକ୍ୟୁଆଇ ରେକର୍ଡ କରିପାରିବ ଏବଂ ଆମେ ଆଜି ଏହି ସଂଖ୍ୟା ଛୁଇଁ ସାରିଛେ ବୋଲି ସେ କହିଛନ୍ତି।

Advertisment

ଅଧିକାରୀମାନେ ସମ୍ବେଦନଶୂନ୍ୟ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। କୌଣସି କାରଣ ନଦର୍ଶାଇ ଦିଲ୍ଲୀ ଜଙ୍ଗଲ କର୍ତ୍ତୃପକ୍ଷ ଗଛକଟାକୁ ଅନୁମତି ଦେଇଥିବାରୁ ଏହାକୁ ବିରୋଧ କରି ରୁଜୁ ହୋଇଥିବା ଏକ ପିଟିସନ୍ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କୋର୍ଟ ଗତ ସେପ୍ଟେମ୍ବରରେ ରାୟ ଦେଇ କହିଥିଲେ ଯେ ସହରରେ ଘର ନିର୍ମାଣ ପାଇଁ ଗଛ କାଟିବା ଅନୁମତି ଦିଆଯାଇପାରିବ ନାହିଁ। ତ‌େବେ ଏହି ଆଦେଶ କାର୍ଯ୍ୟକାରୀ ହୋଇନଥିବାରୁ ଏହାକୁ ହାଇକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି।