ଲକ୍ଷ୍ନୌ: ମିର୍ଜାପୁରରେ ଶୁକ୍ରବାର ସନ୍ଧ୍ୟାରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଟଳି ଯାଇଛି। ଦିଲ୍ଲୀ-ସିଆଲଦା ରାଜଧାନୀ ଏକ୍ସପ୍ରେସ କ୍ରେନ୍‌ ସହିତ ଧକ୍କା ହୋଇଥିଲେ ଏଥିରେ କେହି ଆହତ ହୋଇନାହାନ୍ତି। କୁହୁଡ଼ି କାରଣରୁ ରାଜଧାନୀ ଏକ୍ସପ୍ରେସର ଗତି କମ୍‌ ଥିଲା। ଫଳରେ ଟ୍ରେନ ଲାଇନଚ୍ୟୁତ ହେବାରୁ ବର୍ତ୍ତି ଯାଇଛି। ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଏକ ହାଇଡ୍ରା କ୍ରେନ କାର୍ଯ୍ୟ କରୁଥିଲା ବେଳେ ମିର୍ଜାପୁର-ଝିଙ୍ଗୁରା ରେଳ ‌ଷ୍ଟେସନ ମଝିରେ ସନ୍ଧ୍ୟା ପ୍ରାୟ ୪ଟା ୫୨ ମିନିଟରେ ଉକ୍ତ ଦୁର୍ଘଟଣା ଘଟିଛି।

Advertisment

ହାଇଡ୍ରାକ୍ରେନର ମେଟାଲ ହୁକ୍‌ ଏବଂ ଷ୍ଟିଲ୍ ତାର ଟ୍ରେନର ଇଞ୍ଜିନ ସାମ୍ନାରେ ଛନ୍ଦି ଯୋଇଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନାହାନ୍ତି। କିନ୍ତୁ ଦୁର୍ଘଟଣାରେ ଓଏଚଇ ପୋଲ୍‌ ଭାଙ୍ଗିଯିବା ସହିତ ତାର ନଷ୍ଟ ହୋଇଛି। ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଓଏଚଇ ତାର ଛିଡ଼ିବା ଯୋଗୁ ହାଓଡ଼ାରୁ ଦିଲ୍ଲୀ ମାର୍ଗରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ଠପ ହୋଇଛି। ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଓଏଚଇ ପୋଲ୍ ଏବଂ ତାର ଠିକ୍ କରିବାରେ ଲାଗିଛନ୍ତି। ଏହି ଦୁର୍ଘଟଣା ପରେ ଅଧା ଡଜନରୁ ଅଧିକ ଟ୍ରେନକୁ ଭିନ୍ନ ଭିନ୍ନ ସ୍ଥାନରେ ଅଟକ ରଖାଯାଇଛି। ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ (୨୨୮୨୪), ଯୋଧପୁର-ହାଓଡ଼ା ସୁପରଫାଷ୍ଟ (୧୨୩୦୮), ଆନନ୍ଦ ବିହାର-ଯୋଗବାଣୀ ସୁପରଫାଷ୍ଟ (୧୨୪୮୮)କୁ ‌ ଡିଏଫସି କରିଡ଼ରକୁ ଡାଇଭର୍ଟ କରାଯାଇଛି।