ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଲ୍, ୨୦୨୩ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଆଜି ଦିଲ୍ଲୀ ସେବା ନିଯୁକ୍ତି ବିଲ୍କୁ ସରକାର ଲୋକସଭାରେ ଆଗତ କରିଥିଲେ। ବିରୋଧୀ ସାଂସଦମାନେ ଉକ୍ତ ବିଲ୍କୁ ତୀବ୍ର ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ଏହି ବିଲ୍ ଦିଲ୍ଲୀରେ ଗଣତନ୍ତ୍ର ବଦଳରେ ଅମଲାରାଜ ଆଣିବ। ଏହି ବିଲ୍ ଦ୍ବାରା ଦିଲ୍ଲୀ ସରକାରୀ ଅଫିସରଙ୍କ ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତ ସୁପାରିସରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଚୁଡ଼ାନ୍ତ ରହିବ। ଆପ୍ (ଆମ୍ ଆଦମୀ ପାର୍ଟି) ଏହି ବିଲ୍କୁ ଅଗଣତାନ୍ତ୍ରିକ ଓ ବେଆଇନ ବୋଲି କହିଛି। କିନ୍ତୁ କେନ୍ଦ୍ର ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦିଲ୍ଲୀ ପାଇଁ ଆଇନ ତିଆରି କରିବାପାଇଁ ସମ୍ବିଧାନ ସଂସଦକୁ ଅନୁମତି ଦେଇଛି। ବିଲ୍ ବିରୋଧରେ ଯେଉଁ ଟିପ୍ପଣୀ ଦିଆଯାଇଛି ତାହା ରାଜନୈତିକ ଏବଂ ତା’ର କୌଣସି ଆଧାର ନାହିଁ ବୋଲି ଶାହ କହିଛନ୍ତି।
ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ: ବିରୋଧୀ
ଟିପ୍ପଣୀ ରାଜନୈତିକ: ସରକାର
ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଉକ୍ତ ବିଲ୍ ଆଣିବା ପଛରେ ସରକାରଙ୍କର ଅତି ଉଗ୍ର ମାନସିକତା ରହିଛି ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ସମ୍ମାନ ନାହିଁ। ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି, ପୂର୍ବ ଅଧ୍ୟାଦେଶ ଅପେକ୍ଷା ଏହି ବିଲ୍ ଆହୁରି ଜଟିଳ। ଏହା ଆମ ସମ୍ବିଧାନ ଏବଂ ଗଣତନ୍ତ୍ର ବିରୋଧୀ। ବିଲ୍ ମୁଖ୍ୟତଃ ଦିଲ୍ଲୀରେ ନିର୍ବାଚିତ ସରକାରଠାରୁ ସମସ୍ତ କ୍ଷମତା ଛଡ଼ାଇ ଆଣି ଦିଲ୍ଲୀ ଉପରାଜ୍ୟପାଳ ଏବଂ ବାବୁମାନଙ୍କ ହାତରେ ସବୁ କ୍ଷମତା ଦେବ। ଇତିମଧ୍ୟରେ ବିଜେଡି (ବିଜୁ ଜନତା ଦଳ) ଆଜି ଘୋଷଣା କରିଛି ଯେ ଏହା କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ କରିବ।