ସାଣ୍ଟିଆଗୋ: ଆଟଲାଣ୍ଟିକ୍ରୁ ସୃଷ୍ଟ ସାମୁଦ୍ରିକ ଝଡ଼ବାତ୍ୟା ‘ମେଲିସା’ ବୁଧବାର ପ୍ରତ୍ୟୁଷରେ ପୂର୍ବ କ୍ୟୁବାର ଚିଭିରିକୋ ସହର ନିକଟରେ ସ୍ଥଳଭାଗ ଛୁଇଁଛି। କ୍ୟୁବା ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିବାରୁ ଏହି ସର୍ବାଧିକ ଶକ୍ତିଶାଳୀ ବାତ୍ୟାର ପ୍ରକୋପରୁ ଲୋକଙ୍କୁ ନିସ୍ତାର ମିଳିଛି। ତଥାପି ଭୟାନକ ଝଡ଼ରେ କାରିବିଆନ୍ରେ ୨୫ ଜଣ, ଜାମାଇକାରେ ୪ ଜଣ, ହାଇତିରେ ୨୦ ଏବଂ ଡୋମିନିକାନ୍ ରିପବ୍ଲିକ୍ରେ ଜଣେ ପ୍ରାଣ ହରାଇଛନ୍ତି। ‘ମେଲିସା’ ମଙ୍ଗଳବାର ଜାମାଇକାରେ ମାଡ଼ ହେବା ସମୟରେ ଘଣ୍ଟାପ୍ରତି ୨୯୮ କିମି ବେଗରେ ପବନ ବହିଥିଲା। ଜାମାଇକାର ବିପର୍ଯ୍ୟୟ ପରିଚାଳନା ପରିଷଦର ଉପାଧ୍ୟକ୍ଷ ଡେସମଣ୍ଡ ମ୍ୟାକେଞ୍ଜି କହିଛନ୍ତି ଯେ ଦକ୍ଷିଣ ଜାମାଇକାର କ୍ଲାରେଣ୍ଡନ୍ ସହର ଏବଂ ସେଣ୍ଟ୍ ଏଲିଜାବେଥ୍ର ଦକ୍ଷିଣ-ପଶ୍ଚିମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ଗ୍ରାନ୍ମା, ସାଣ୍ଟିଆଗୋ ଡି କ୍ୟୁବା, ଗୁଆଣ୍ଟାନାମୋ, ହୋଲଗୁଇନ୍ ଓ ଲାସ୍ ଟୁନାସ୍ ପ୍ରଦେଶ ପାଇଁ ବାତ୍ୟା ଚେତାବନୀ ଜାରି କରାଯାଇଥିଲା। ବୁଧବାର ସକାଳେ ‘ମେଲିସା’ର ପ୍ରଭାବ ଥମିଥିଲା ଏବଂ ଘଣ୍ଟାପ୍ରତି ୧୯୩ କିମି ବେଗରେ ପବନ ବହିଥିଲା। ଏହି ଘୂର୍ଣ୍ଣିବଳୟ ଚିଭିରିକୋର ପୂର୍ବରେ ୩୨ କିଲୋମିଟର ଓ କ୍ୟୁବାର ଗୁଆଣ୍ଟାନାମୋର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୯୭ କିଲୋମିଟର ଦୂରରେ କେନ୍ଦ୍ରିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/dgjdgjgjcbnbnnb-2025-10-30-02-43-02.jpg)