କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ କାଳ ଧରି ଆନ୍ଦୋଳନ ଚଳାଇଥିବା କନିଷ୍ଠ ଡାକ୍ତରଙ୍କ ଦାବି ସମାଧାନର ରାସ୍ତା ବାହାରିଛି। ଆଜି ମଧ୍ୟରାତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ପୁଲିସ କମିସନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ବି ବଦଳି କରିଦିଆଯାଇଛି। ପୁଲିସ କମିସନରଙ୍କ ବଦଳି ଦାବିରେ ଡାକ୍ତର ଅଟଳ ରହିଥିଲେ। 

Advertisment

ଏଥିସହିତ ଡାକ୍ତରମାନେ କରିଥିବା ୫ଟି ଦାବି ମଧ୍ୟରୁ ତିନୋଟିକୁ ମମତା ତତ୍କାଳ ପୂରଣ କରିଛନ୍ତି। ଏବଂ ଆନ୍ଦୋଳନରତ ଡାକ୍ତର ସରକାରଙ୍କ ସାମ୍ନାରେ ରଖିଥିବା ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। କେବଳ ସେତିକି ନୁହେଁ, ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି ମଧ୍ୟ ମମତା ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ମାସାଧିକ କାଳ ଚାଲିଥିବା ଡାକ୍ତର ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ଆଶା କରାଯାଉଛି।  ସୋମବାର ସକାଳୁ ମମତା ଡାକ୍ତର ଆନ୍ଦୋଳନର ଅବସାନ ପାଇଁ ଶେଷ ପ୍ରୟାସ ଆରମ୍ଭ କରିଥିଲେ। ସନ୍ଧ୍ୟାରେ ଏହା ନିର୍ଣ୍ଣାୟକ  ମୋଡ଼ ନେଇଥିଲା ଓ ଡାକ୍ତରମାନେ ନରମ ମନୋଭାବ ପ୍ରକଟ କରି ଲାଇଭ୍‌ ଷ୍ଟ୍ରିମିଂ ଦାବିରୁ ଓହରିବା ସହିତ ଆଲୋଚନାକୁ ଆସିଥିଲେ। ମମତାଙ୍କ କାଳୀଘାଟସ୍ଥିତ ବାସଭବନ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପରେ ସମାଧାନର ବାଟ ଫିଟିଥିଲା। 

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ-ଡାକ୍ତରଙ୍କ ମଧ୍ୟରେ ଆଲୋଚନା ଚାରି ଥର ବିଫଳ ହେବା ପରେ ମମତା ଆଜି ପଞ୍ଚମ ଓ ଶେଷ ନିମନ୍ତ୍ରଣ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଦେଇଥିଲେ। ଏହାପରେ ଡାକ୍ତରମାନେ ବୈଠକ‌ରେ ବସିବା ପାଇଁ ରାଜି ହୋଇଥିଲେ।  ଏଥିସହିତ ପୂର୍ବରୁ ଲାଇଭ୍‌ ଷ୍ଟ୍ରିମିଂ ଏବଂ ଭିଡିଓଗ୍ରାଫି ଦାବିରୁ ଓହରିଥିଲେ ହେଁ ଅନ୍ୟ ଏକ ଦାବି ରଖିଥିଲେ। ସେମାନେ ସର୍ତ୍ତ ରଖିଥିଲେ ଯେ ଯଦି ଉଭୟ ପକ୍ଷକୁ ମିନିଟ୍‌ସ ଅଫ୍ ଦି ମିଟିଂ ରେକର୍ଡିଂ ପାଇଁ ଅନୁମତି ମିଳେ ତେବେ ସେମାନେ ଏହି ବୈଠକରେ ବସିବେ। ରାଜ୍ୟ ସରକାର ଆନ୍ଦୋଳନରତ ଡାକ୍ତରମାନଙ୍କର ଏହି ସର୍ତ୍ତରେ ରାଜି ହେବାପରେ ଡାକ୍ତରଙ୍କ ପ୍ରତିନିଧି ଦଳ ସହିତ ଆଲୋଚନା ଆରମ୍ଭ ହୋଇଥିଲା।  

୨ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ବି ବଦଳିଲେ
ଡାକ୍ତରଙ୍କ ସମସ୍ୟା ସମାଧାନ ଲାଗି ମୁଖ୍ୟ ସଚିବଙ୍କ 
ଅଧ୍ୟକ୍ଷତାରେ କମିଟି ୫ ଦାବିରୁ ୩ ପୂରଣ

ପ୍ରାୟ ୩୫ ଜଣିଆ ଡାକ୍ତରଙ୍କର ଏକ ପ୍ରତିନିଧି ଦଳ ଆଜି ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍‌ ସମୟରେ ମମତାଙ୍କ ବାସଭବନରେ ପହଞ୍ଚିଥିଲେ।  ବୈଠକ ସନ୍ଧ୍ୟା ୫ଟାରେ ଆରମ୍ଭ ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଏହା ଆରମ୍ଭ ହେଉ ହେଉ ସନ୍ଧ୍ୟା ୭ଟା ହୋଇଯାଇଥିଲା। ବୈଠକ ପାଇଁ ଯିବା ପୂର୍ବରୁ ଡାକ୍ତରମାନଙ୍କର ସିକ୍ୟୁରିଟି ଚେକ୍‌ ବା ସୁରକ୍ଷା ଯାଞ୍ଚ କରାଯାଇଥିଲା। ଆନ୍ଦୋଳନରତ ଡାକ୍ତର ସ୍ପଷ୍ଟ କରିଥିଲେ ଯେ ଆମେ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ଆଲୋଚନା ଚାହୁଛୁ। ଆନ୍ଦୋଳନରତ କନିଷ୍ଠ ଡାକ୍ତର ସେମାନଙ୍କ ସାଙ୍ଗରେ ବୈଠକକୁ ଷ୍ଟେନୋଗ୍ରାଫରଙ୍କୁ ନେଇଥିଲେ। ସରକାରଙ୍କ ପକ୍ଷରୁ ମଧ୍ୟ ବୈଠକର ଭିଡିଓ ରେକର୍ଡିଂ କରାଯାଇଥିଲା।  

ସ୍ମରଣଥାଉକି,  ଆନ୍ଦୋଳନରତ ଡାକ୍ତର ଆର୍‌ଜି କର ହସ୍ପିଟାଲ୍‌ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ସମେତ ମୋଟ୍‌ ୫ଟି ଦାବି କରିଥିଲେ। ସେ ଦାବିଗୁଡ଼ିକ ହେଲା ଡା. ସନ୍ଦୀପ ଘୋଷଙ୍କୁ ଦଣ୍ଡ, କୋଲକାତା ପୁଲିସ କମିସନର ବିନୀତ ଗୋୟଲଙ୍କ ଇସ୍ତଫା, ସବୁ ମେଡିକାଲ ପେସାର ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଏବଂ ଧମକ ସଂସ୍କୃତିରେ ପୂର୍ଣ୍ଣଛେଦ।