ବିହାରରେ ପରିବାରବାଦର ପ୍ରାଧାନ୍ୟ, ଟିକଟ ଦୌଡ଼ରେ ନେତାଙ୍କ ପୁଅ-ଝିଅ ଆଗରେ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ପୁଅ-ଝିଅ ହିଁ ଏବେ ଟିକଟ ଦୌଡ଼ରେ ଆଗରେ ଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବଂଶବାଦ ତଥା ପରିବାରବାଦର ପ୍ରଭାବ ଏଥର ନିର୍ବାଚନରେ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଆରଜେଡିର ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ପରିବାର ଭିତରେ ରହିଛି ଏବଂ ଲାଲୁପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ଦଳର ମଂଗ ଧରିଥିବା ବେଳେ ଏଲ୍‌ଜେପିର ମଂଗ ଧରିଛନ୍ତି ରାମ ବିଳାସ ପାଶ୍ବାନଙ୍କ ପୁଅ ଚିରାଗ ପାଶ୍ବାନ। ଏହା ବ୍ୟତୀତ ସମସ୍ତ ଦଳରେ ଏଭଳି ନେତା ଅଛନ୍ତି ଯେଉଁମାନଙ୍କ ପୁଅ ଝିଅମାନେ ଏଥର ଟିକଟ ଦୌଡ଼ରେ ରହିଛନ୍ତି। ବିହାର ରାଜନୀତିରେ ପରିବାରବାଦ ଅଧିକ ପ୍ରବଳ ହେଉଥିବା ବେଳେ ଭୋଟର୍‌ ମଧ୍ୟ ଏହାକୁ ଏକ ପରମ୍ପରା ଭାବେ ଗ୍ରହଣ କରିନେଇଥିବା କୁହାଯାଉଛି।

୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ରାଜ୍ୟର ଅନେକ ପ୍ରମୁଖ ନେତାଙ୍କ ସନ୍ତାନ ନିଜ ଭାଗ୍ୟ ପରୀକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କୁ ସଫଳତା ମିଳିନଥିଲା। ତେବେ ଚଳିତ ବିଧାନସଭା ନିର୍ବାଚନରେ ଟିକଟ ଦୌଡ଼ରେ ପାରିବାରିକ ସଦସ୍ୟଙ୍କ ତାଲିକା ଯଥେଷ୍ଟ ଲମ୍ବିବ ବୋଲି ସ୍ପଷ୍ଟ ହୋଇଯାଇଛି। ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା ତାଙ୍କ ପୁଅ ମାଧବ ଝାଙ୍କ ପାଇଁ ବେନିପୁର ଆସନରୁ ଟିକଟ ଚାହୁଥିବା ବେଳେ ଆର୍‌ଜେଡିର ବିହାର ମୁଖ୍ୟ ଜଗଦାନନ୍ଦ ସିଂହଙ୍କ ପୁଅ ସୁଧାକର ସିଂହ ରାମଗଡ଼ ଆସନରୁ ଲଢ଼ିବା ପାଇଁ ଘୋଷଣା କରିସାରିଛନ୍ତି। ସୁଧାକର ୨୦୧୦ରେ ବିଜେପିରୁ ଟିକଟ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ପରାଜିତ ହୋଇଥିଲେ। ଜେଡିୟୁର ରାଜ୍ୟ ସଭାପତି ବଶିଷ୍ଠ ନାରାୟଙ୍କ ସିଂହ ତାଙ୍କ ପୁଅ ସୋନୁ ସିଂହଙ୍କୁ ଏଥର ନିର୍ବାଚନ ଲଢ଼ାଇବାକୁ ଜୋର୍‌ସୋରରେ ପ୍ରସ୍ତୁତି କରିଛନ୍ତି। ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ପ୍ରସାଦ ରାୟଙ୍କ ପୁଅ ଚନ୍ଦ୍ରିକା ରାୟ ଜେଡିୟୁ ଟିକଟରେ ର୍ନିବାଚନ ଲଢ଼ିବାକୁ ଚାହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ପୁଅ ଅରିଜିତ ସାୱନ୍ତ ଏବଂ ବିଜେପି ନେତା ରାମ କୃପାଳ ଯାଦବଙ୍କ ପୁଅ ଅଭିମନ୍ୟୁ ଟିକଟ ଦୌଡ଼ରେ ଅଛନ୍ତି। ସେହିଭଳି ଭାଜପା ସାଂସଦ ଛେଦି ପାଶ୍ବାନ ମଧ୍ୟ ତାଙ୍କ ପୁଅ ରବିଶଙ୍କର ପାଶ୍ବାନଙ୍କ ପାଇଁ ଟିକଟ ଚାହୁଥିବା ଜଣାପଡ଼ିଛି। ତେବେ ରାଜ୍ୟ ବିଜେପିର ବହୁ ନେତା ଏହାକୁ ବିରୋଧ କରିବା ସହ ଦଳରେ ପରିବାରବାଦକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର