ଭୁବନେଶ୍ବର: ଡିଆରଡିଓ ଗତ ଶନିବାର ଓଡ଼ିଶା ଉପକୂଳରେ ଥିବା ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନିଜର ଦୀର୍ଘ ଦୂରତା ବିଶିଷ୍ଟ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଭାରତୀୟ ସଶସ୍ତ୍ର ବାହିନୀର ସମସ୍ତ ଶାଖା ପାଇଁ ପ୍ରସ୍ତୁତ କରାଯାଇଥିୂା ଏହି କ୍ଷେପଣାସ୍ତ୍ର ୧୫୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ ।
ବିଭିନ୍ନ ଆକାରର ପେଲୋଡ୍ ବହନ କରିବା ପାଇଁ ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ରେଞ୍ଜ ସିଷ୍ଟମ ଦ୍ୱାରା ଟ୍ରାକ୍ କରାଯାଇଥିଲା। ଟର୍ମିନାଲ ଯୁଦ୍ଧ ଅଭ୍ୟାସ ଏବଂ ଉଚ୍ଚ ସଠିକତାରେ ଏହାର ଫଳପ୍ରଦତା ନିଶ୍ଚିତ କରାଯାଇଛି ।
ହାଇଦ୍ରାବାଦସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ମିସାଇଲ କମ୍ପ୍ଲେକ୍ସ ନାମରେ ପରିଚିତ ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓର ବିଭିନ୍ନ ପରୀକ୍ଷାଗାରରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରିଛନ୍ତି। ଡିଆରଡିଓ ଏବଂ ସଶସ୍ତ୍ର ବାହିନୀର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଡିଆରଡିଓର ଏହି ଅଭୂତପୂର୍ବ ସଫଳତା ଉନ୍ନତ ହାଇପରସୋନିକ୍ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ସମ୍ପନ୍ନ ବଛାବଛା ଦେଶମଧ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିଛି। ଏହି କ୍ଷେପଣାସ୍ତ୍ର ଭାରତର ବଢୁଥିବା ଆତ୍ମନିର୍ଭରଶୀଳତା ଏବଂ 'ମେକ୍ ଇନ୍ ଇଣ୍ଡିଆ' ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ବିଶ୍ବର ଅଳ୍ପକିଛି ଦେଶ ହାତରେ ଏହି ଟେକନଲୋଜି ଅଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ଏହି ସଫଳତାକୁ ପ୍ରଶଂସା କରିଛନ୍ତି। ଏହା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ଏହା ସହ ଏହି ଐତିହାସିକ ସଫଳତା ରେ ଅସାଧାରଣ ଅବଦାନ ପାଇଁ ସେ ଡିଆରଡିଓ ଟିମ୍, ସଶସ୍ତ୍ର ବାହିନୀ ଏବଂ ଶିଳ୍ପ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/17/HLT7AVC6Fb62qVc7PVf2.jpeg)