ତିରୁଅନନ୍ତପୁରମ୍, ୨୨/୫: କେରଳର ଆଲାପୁଝା ଜିଲ୍ଲାରେ ଆଜି ଗୋଟିଏ ଟ୍ରେନ୍ ଏକ ଷ୍ଟେସନରେ ଅଟକିବା କଥା ଭୁଲିଯାଇ ପ୍ରାୟ ୭୦୦ ମିଟର ଆଗକୁ ପଳାଇଥିଲା। ଏ କଥା ଜାଣିବା ପରେ ଲୋକୋ ପାଇଲଟ୍ (ଚାଳକ) ଜଣକ ଷ୍ଟେସନରୁ ଯାତ୍ରୀଙ୍କୁ ଉଠାଇବା ପାଇଁ ପୁଣି ଟ୍ରେନକୁ ପଛକୁ ଆଣିଥିଲେ। ସୂଚନାଯୋଗ୍ୟ, ଶୋରାନୁରଗାମୀ ବେନାଦ ଏକ୍ସପ୍ରେସ୍ ମାବେଲିକାରା ଓ ଚେଙ୍ଗାନୁର ଷ୍ଟେସନ ମଝିରେ ଥିବା ଚେରିୟାନାଡ଼ ନାମକ ଏକ ଛୋଟ ଷ୍ଟେସନରେ ସକାଳ ୭ଟା ୪୫ରେ ଅଟକିବା କଥା। କିନ୍ତୁ ଏହା ନ ଅଟକି ଚାଲିଯାଇଥିଲା। ଚାଳକ ଜଣକ ଯେତେବେଳେ ନିଜ ଭୁଲ ଜାଣିପାରିଲେ ସେତେବେଳେ ପୂର୍ବ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନଙ୍କୁ ଉଠାଇବା ପାଇଁ ପୁଣି ପଛକୁ ଫେରିଥିଲେ। ଲୋକମାନଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିଲେ ମଧ୍ୟ ଲୋକୋ ପାଇଲଟଙ୍କୁ ଏ ବାବଦରେ କୈଫିୟତ୍ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp