ଗୁରୁଗ୍ରାମ : ଗୁରୁଗ୍ରାମର ଜଣେ ୨୬ ବର୍ଷୀୟ ଟ୍ୟାକ୍ସି ଡ୍ରାଇଭର ବାପାଙ୍କୁ ତଣ୍ଟିଚିପି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ରାସ୍ତା ଉପରେ ଶୁଆଇ କାର୍ ଚଢ଼ାଇ ଦେଇଥିଲା। ପୁଲିସ ଅଭିଯୁକ୍ତ ଅନୁଜ କୁମାରକୁ ଗିରଫ କରି ଘଟଣାର ଅନୁସନ୍ଧାନ କରୁଛି। ପୁଲିସର କହିବା ଅନୁସାରେ, ବାପା ରାକେଶ କୁମାର (୫୨)ଙ୍କ ସହ ଅନୁଜର ପୈତୃକ ସମ୍ପତ୍ତିକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ କ୍ରୋଧାନ୍ଧ ହୋଇ ସେ ବାପାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ସେପ୍ଟେମ୍ବର ୧୮ରେ ରାକେଶଙ୍କ ମୃତଦେହ କୁଣ୍ଡଲି-ମାନେଶ୍ବର-ପାଲୱାଲ ଏକ୍ସପ୍ରେସୱେରୁ ମିଳିଥିଲା। ପୋଷ୍ଟର୍ମର୍ଟମ ରିପୋର୍ଟରୁ କାର୍ ଚଢ଼ିବା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିବା ପରେ ପୁଲିସ ମାମଲା ରୁଜୁ କରି ବାପାଙ୍କୁ ମାରିବା ପରେ ଫେରାର ହୋଇଯାଇଥିବା ଅନୁଜକୁ ଗୁରୁବାର ରାତିରେ ମାନେଶ୍ବରର ନୱାଦ ଗାଁରୁ ଗିରଫ କରିଛି। ସେ ତା’ର ଅପରାଧ ସ୍ବୀକାର କରିଛି।