ହିନ୍ଦୁତ୍ବ ପ୍ରଭାବ? ଏ ବର୍ଷ ଇଫତାର ପାର୍ଟି ନ ଡାକି ଚର୍ଚ୍ଚାରେ ଅଖିଳେଶ

ଲକ୍ଷ୍ନୌ: କୋଭିଡ୍ କଟକଣା ହଟିବା ପରେ ଦୁଇବର୍ଷ ଧରି ବନ୍ଦ ଥିବା ରମଜାନ, ଇଫତାର ରାଜନୀତି ପୁଣି ଭାରତୀୟ ରାଜନୀତିର ଦୃଶ୍ୟପଟକୁ ଫେରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଜ‌ନୀତିକ ବିରୋଧୀ ତେଜସ୍ବୀ ଯାଦବ ଇଫତାର ପାର୍ଟିର ଆୟୋଜନ ଏଥର ବେଶ୍‌ ଚର୍ଚ୍ଚାରେ ରହିଥିଲା । ତେବେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ କ୍ଷେତ୍ରରେ ଏଥର କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅଖିଳେଶ ପ୍ରତିବର୍ଷ ଲକ୍ଷ୍ନୌରେ ଇଫତାର ପାର୍ଟିର ଆୟୋଜନ କରିଥାନ୍ତି। କିନ୍ତୁ ଏ ବର୍ଷ ସେ ଦଳ ପକ୍ଷରୁ ଏପରି ପାର୍ଟିର ଆୟୋଜନ କରିନାହାନ୍ତି। ସେ କେବଳ ୩ଟି ଇଫତାର ପାର୍ଟିରେ ଯୋଗ ଦେଇଛନ୍ତି। ଏଥି ସହ ସେ ଟ୍ବିଟର ମାଧ୍ୟମରେ ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଖିଳେଶ ଯାଦବ ଏ ବର୍ଷ ଇଫତାର ପାର୍ଟିର ଆୟୋଜନ ନ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏପରି କି ବିବିସିରେ ଏହା ଉପରେ ଏକ ଖବର ପ୍ରକାଶ ପାଇଛି। କେତେକ ଭାବିପାରନ୍ତି ଯେ ଦଳ ଚଳିତବର୍ଷ ନିର୍ବାଚନରେ ହାରିଯିବାରୁ ଇଫତାର ବନ୍ଦ କରିଦିଆଯାଇଛି। କିନ୍ତୁ ୨୦୧୭ରେ ଦଳ ବିଧାନସଭା ନିର୍ବାଚନରେ ହାରିବା ପରେ ବି ଇଫତାର ବନ୍ଦ ହୋଇ ନ ଥିଲା। କେବଳ କୋଭିଡ୍ ମହାମାରୀ ଚରମରେ ଥିବାବେଳେ ଗତ ଦୁଇବର୍ଷ ଏହାକୁ ବନ୍ଦ କରାଯାଇଥିଲା। ରାଜନୈତିକ ଦଳଗୁଡ଼ିକ ଭାଇଚାରା ବଢ଼ାଇବା ପାଇଁ ବାର୍ଷିକ ଇଫତାର ପାର୍ଟିର ଆୟୋଜନ କରନ୍ତି। କିନ୍ତୁ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଓ ନିର୍ବାଚନୀ ବାର୍ତ୍ତା ରହିଥାଏ। ଅତୀତରେ ଅଖିଳେଶଙ୍କ ଇଫତାର ପାର୍ଟିରେ ବଡ଼ ବଡ଼ ମୁସଲମାନ ଧର୍ମଗୁରୁ ଯୋଗ ଦେବାର ନଜିର ରହିଛି। କିନ୍ତୁ ଏ ବର୍ଷ କାହିଁକି ସେ ଭାଇଚାରାର ପର୍ବଟାକୁ ବନ୍ଦ କରିଦେଲେ ବୋଲି ଅନେକ ପ୍ରଶ୍ନ କରୁଛନ୍ତି।

ଅଖିଳେଶଙ୍କ ଉପରେ ଆଉ ଏକ ପ୍ରଶ୍ନ ମଧ୍ୟ ଲୋକଙ୍କ ମଧ୍ୟରେ ଉଙ୍କିମାରିଛି। ସେ ଯେତେବେଳେ ଇଦଗା ଯାଆନ୍ତି ସେତେବେଳେ ମୁସଲମାନଙ୍କ ଧଳାଟୋପି ପିନ୍ଧିଥାନ୍ତି। କିନ୍ତୁ ଏଥର ଇଦଗା ଗଲାବେଳେ ଦଳୀୟ ନାଲିଟୋପି ପିନ୍ଧି ଯିବାର ଦେଖାଗଲା। ଏହା ପଛରେ ବିଜେପିର ହିନ୍ଦୁତ୍ବ ରାଜନୀତିର ପ୍ରଭାବ ରହିଥିବା ଅନେକେ ଆଲୋଚନା କରୁଛନ୍ତି। ଡ. ଆର୍‌ଏମ୍‌ଏଲ୍‌ ଅୱଧ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମନୋଜ ଦୀକ୍ଷିତ କହିଛନ୍ତି ଯେ, ବର୍ତ୍ତମାନ ସାରା ଭାରତରେ, ବିଶେଷତଃ ଉତ୍ତରପ୍ରଦେଶରେ ରାଜନୀତିକ ବାସ୍ତବତା ବଦଳୁଛି। ଅତୀତରେ ‌ଦଳଗୁଡ଼ିକ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରୁଥିଲେ ଏବଂ ଏଥିରୁ ଲାଭବାନ୍ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ହେଉଛି। ଦଳଗୁଡ଼ିକ ଏବେ ଭାବୁଛନ୍ତି ଖୋଲାଖୋଲି ଭାବେ ସଂଖ୍ୟାଲଘୁ-ପ୍ରେମ ପ୍ରଦର୍ଶନ କଲେ ତାହା ବିପରୀତ ଫଳ ଦେଇପାରେ। ତୁଷ୍ଟୀକରଣ କରିବାକୁ ଯାଇ ଏଣିକି କେହି ସଂଖ୍ୟାଧିକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁନାହାନ୍ତି।

ସମ୍ବନ୍ଧିତ ଖବର