ମୋଦୀଙ୍କୁ ଭେଟିବା ପରେ ବଡ଼ ଭାଇ କହିଲେ; ଦେଶ ପାଇଁ ବହୁତ ପରିଶ୍ରମ କଲଣି, ଟିକେ ବିଶ୍ରାମ ନିଅ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦ ନିଶାନ ପବ୍ଲିକ ସ୍କୁଲ୍‌ରେ ଭୋଟ୍‌ ଦେଇଛନ୍ତି। ମୋଦୀଙ୍କ ବଡ଼ ଭାଇ ସୋମଭାଇ ମୋଦୀ ମଧ୍ୟ ଏହି କେନ୍ଦ୍ରରେ ଭୋଟ୍‌ ଦେଇଛନ୍ତି। ମୋଦୀ ଆଜି ତାଙ୍କ ବଡ଼ଭାଇଙ୍କୁ ଭେଟିଥିଲେ। ତେବେ ନିଜ ଭାଇଙ୍କୁ ଭେଟିବା ସମୟରେ ମୋଦୀ ଏବଂ ତାଙ୍କ ଭାଇ କ’ଣ କଥା ହୋଇଛନ୍ତି ସେ ସଂକ୍ରାନ୍ତରେ ସୋମଭାଇ ମୋଦୀଙ୍କୁ ଆଜି ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ସୋମଭାଇ ମୋଦୀ ଆଜି ଭାବପ୍ରବଣ ହୋଇଯାଇଥିଲେ। ସୋମଭାଇ ତାଙ୍କ ଭାଇ ମୋଦୀଙ୍କ ସହ କ’ଣ କଥା ହୋଇଥିଲେ ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ସୋମଭାଇ କହିଛନ୍ତି, ‘ ମୁଁ ତାଙ୍କୁ ( ପ୍ରଧାନମନ୍ତ୍ରୀ ମୋଦୀ) କହିଲି ଯେ ସେ ଦେଶ ପାଇଁ ବହୁତ କାମ କରୁଛନ୍ତି।

ସେ ନିଜେ ମଧ୍ୟ କିଛି ବିଶ୍ରାମ ନେବା ଉଚିତ। ସୋମଭାଇ କହିଛନ୍ତି, ୨୦୧୪ରୁ ଜାତୀୟ ସ୍ତରରେ ଯେଉଁ କାମ ହେଉଛି ତାକୁ ଦେଶର ଲୋକମାନେ ଅଣଦେଖା କରିପାରିବେନି। ‌ ଭୋଟରମାନଙ୍କୁ ମୋର ଏକମାତ୍ର ବାର୍ତ୍ତା ହେଉଛି, ସେମାନେ ଭଲଭାବେ ବୁଝି ବିଚାରି ସେମାନଙ୍କ ମତଦାନ ସାବ୍ୟସ୍ତ କରନ୍ତୁ। ସେମାନେ ଏଭଳି ଦଳକୁ ଭୋଟ୍‌ ଦେବା ଉଚିତ ଯେଉଁ ଦଳ ଦେଶର ବିକାଶ ପାଇଁ କାମ କରିବ। ୨୦୧୪ ପରଠାରୁ ଜାତୀୟ ସ୍ତରରେ ଯେଉଁ କାମ ହୋଇଛି ତାହା ଲୋକମାନେ ଦେଖିଛନ୍ତି। ସେମାନେ ଏହାକୁ ଅଣଦେଖା କରିପାରିବେନି। ଲୋକମାନେ ଏହି କାର୍ଯ୍ୟ ଆଧାରରେ ଭୋଟ୍‌ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର