କନ୍ୟାକୁମାରୀ, ଗୌହାଟୀ : ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏବେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ରାହୁଲ ଆଜି ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାରେ ସେଣ୍ଟ୍ ଜୋସେଫ୍ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ସହ ବ୍ୟାୟାମ କରି ଫିଟନେସ୍ ଦକ୍ଷତା ଦେଖାଇଥିଲେ। ଜଣେ ଛାତ୍ରୀଙ୍କ ଅନୁରୋଧ କ୍ରମେ ରାହୁଲ ତାଙ୍କ ଗୀତରେ ନାଚିଥିଲେ । ଅନ୍ୟ ଜଣେ ସ୍କୁଲ୍ ଛାତ୍ରୀ ରାହୁଲଙ୍କୁ ୧୫ ଥର ପୁସ୍ ଅପ୍ କରିବାପାଇଁ ଚ୍ୟାଲେଂଜ କରିଥିଲେ। ରାହୁଲ ମଧ୍ୟ ଏହି ଚ୍ୟାଲେଂଜକୁ ଗ୍ରହଣ କରିଥିଲେ। ସମ୍ପୃକ୍ତ ଛାତ୍ରୀ ଜଣଙ୍କ ଚ୍ୟାଲେଞ୍ଜ ସଂଖ୍ୟାର ଅଧାରେ ପହଞ୍ଚିଥିବା ବେଳେ ପୁସ୍ ଅପ୍ କରିବା ପୂର୍ବରୁ ରାହୁଲ ପୂରା କରିଦେଇଥିଲେ। କାଉଣ୍ଟର୍ ଚ୍ୟାଲେଜଂ କରି ରାହୁଲ ତାଙ୍କୁ ଗୋଟିଏ ହାତରେ ପୁସ୍ ଅପ୍ ପାଇଁ କହିଥିଲେ ଏବଂ ନିଜେ ମଧ୍ୟ ଏହା କରିଥିଲେ।
ଅନ୍ୟପକ୍ଷେ ପ୍ରିୟଙ୍କା ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଆସାମ୍ରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହ ପ୍ରିୟଙ୍କା ଆଦିବାସୀ ଯୁବତୀମାନଙ୍କ ସହ ଝୁମର ନୃତ୍ୟ କରିଛନ୍ତି। ପ୍ରିୟଙ୍କା ଆଜି କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ସେ ମଧ୍ୟ ଆଜି ଲକ୍ଷ୍ମୀପୁରରେ ରାଜ୍ୟବ୍ୟାପୀ ବେରୋଜଗାର ଆନ୍ଦୋଳନ ଆରମ୍ଭ କରିଥିଲେ।