ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ କମିବାରୁ ନିର୍ବାଚନ କମିସନ୍ ନିର୍ବାଚନୀ ପ୍ରଚାରକୁ ନେଇ ପୂର୍ବରୁ ଯେଉଁ କଟକଣା ଲଗାଇଥିଲେ ତାହା କୋହଳ କରିଛନ୍ତି। ନିର୍ବାଚନ କମିସନ୍ ୫ ରାଜ୍ୟର କୋଭିଡ୍ ସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ କଟକଣା କୋହଳ କରିଛନ୍ତି। କମିସନ୍ କହିଛନ୍ତି, ଏଣିକି ରାଜନୈତିକ ଦଳମାନେ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ପ୍ରଚାର କରିପାରିବେ। ପୂର୍ବରୁ କମିସନ୍ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପ୍ରଚାର ପାଇଁ ଅନୁମତି ଦେଇଥିଲେ। ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ସୀମିତ ସଂଖ୍ୟାରେ ଲୋକଙ୍କ ଦ୍ବାରା ପଦଯାତ୍ରା ପାଇଁ ମଧ୍ୟ କମିସନ୍ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସର୍ବାଧିକ ୫୦ ପ୍ରତିଶତ କ୍ଷମତାରେ ଖୋଲା ସ୍ଥାନରେ ପ୍ରଚାର ସଭା କରିପାରିବେ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏବଂ ଗୋଆ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଉତ୍ତରପ୍ରଦେଶରେ ଆସନ୍ତା ୧୪ ତାରିଖରେ ୫୫ ଆସନରେ ଭୋଟ୍ ଗ୍ରହଣ ହେବ। ଅନ୍ୟପକ୍ଷେ ଗୋଆ ଏବଂ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବ। ଗୋଆରେ ୪୦ ଏବଂ ଉତ୍ତରାଖଣ୍ଡରେ ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୫୮୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଗୋଆରେ ୪୦ ଆସନରେ ୩୦୧ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ଉତ୍ତରାଖଣ୍ଡରେ ୭୦ ଆସନରୁ ୬୩୨ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି , ଦିପେନ୍ଦ୍ର ସିଂହ ହୁଦା ଏବଂ ଅନ୍ୟ ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଆଜି ଉତ୍ତରାଖଣ୍ଡରେ ପ୍ରଚାର କରିଛନ୍ତି। ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୨ କୋଟି ଭୋଟର ମତଦାନ କରିବେ। ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୫୫ ଆସନରୁ ବିଜେପି ୨୦୧୭ ବିଧାନସଭା ନିର୍ବାଚନରେ ୪୦ଟି ଆସନ ଓ ସପା ୧୩ ଆସନରେ ଜିତିଥିଲା।