ବେଙ୍ଗାଲୁରୁ : ଭାରତରେ ପୂର୍ବରୁ ମହାକାଶରୁ ରକେଟ ପ୍ରେରଣର ଏକଚାଟିଆ ଅଧିକାର ଇସ୍ରୋର ରହିଥିଲା। କିନ୍ତୁ ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ୪ ବର୍ଷର ଏକ ଷ୍ଟାର୍ଟଅପ୍ କମ୍ପାନି ସ୍କାଏରୁଟ୍ ଏରୋସ୍ପେସ ଦ୍ବାରା ନିର୍ମାଣ ହୋଇଥିବା ବିକ୍ରମ-ଏସ ନାମକ ରକେଟ ମହାକାଶକୁ ପଠାଯାଇଛି। ୨୦୨୦ ମସିହାରେ ଘରୋଇ କ୍ଷେତ୍ର ପାଇଁ ଭାରତର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରାଯାଇଥିଲା।
୨୦୧୮ ଜୁନ ମାସରେ ପୱନ କୁମାର ଚନ୍ଦନା ଏବଂ ନାଗା ଭାରତ ଡାକାଙ୍କ ଦ୍ବାରା ସ୍କାଏରୁଟ୍ ଏରୋସ୍ପେସ ସ୍ଥାପନ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ କମ୍ପାନି ୬୨ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛି। ଜିଆଇସି ସିଙ୍ଗାପୁର, ଗ୍ରିନକୋର ପ୍ରତିଷ୍ଠାତା ଅନିଲ କୁମାର ଚାଲମାଲାସେଟ୍ଟି ଏବଂ ମହେଶ କୋଲି, ଉଦ୍ୟୋଗୀ ତଥା ମିନ୍ତ୍ରାର ପ୍ରତିଷ୍ଠାତା ମୁକେଶ ବନସଲ, ଲକ୍ଷ୍ମୀ ଏବଂ ଆଦିତ୍ୟ ମିତ୍ତଲ ଫ୍ୟାମିଲି ଅଫିସ ଏବଂ ସୋଲାର ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏହି କମ୍ପାନି ସହାୟତା ହାସଲ କରିଛି। ପ୍ରଥମ ଷ୍ଟାର୍ଟଅପ୍ କମ୍ପାନି ଭାବେ ଏହା ଇସ୍ରୋ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି। ବିଶ୍ବର ପ୍ରମୁଖ ରକେଟ ଉତକ୍ଷେପଣ ସଂସ୍ଥାଙ୍କ ବ୍ୟୟ ତୁଳନାରେ ୫୦ ପ୍ରତିଶତ କମ୍ ବ୍ୟୟରେ ଏହା ଉକ୍ତ କାର୍ଯ୍ୟ ସଂପାଦନ କରୁଥିବା କୁହାଯାଉଛି।
ବିକ୍ରମ-ଏସ ନିର୍ମାଣ ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି। ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଉପକରଣ ବ୍ୟବହାର ହୋଇଛି। ବିକ୍ରମ-ଏସର ଉତ୍କ୍ଷେପଣ ପ୍ରଥମେ ନଭେମ୍ବର ୧୫ରେ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଶେଷରେ ଏହା ଆଜି ଉତ୍କ୍ଷେପଣ ହୋଇଛି। ଭୂପୃଷ୍ଠରୁ ୮୧ କିମି ଉଚ୍ଚକୁ ଯାଇ ସମୁଦ୍ର ଗର୍ଭରେ ଖସିବା ଲାଗି ଏହାକୁ ୫ ମିନିଟରୁ କମ୍ ସମୟ ଲାଗିଛି। କମ୍ପାନି ପକ୍ଷରୁ ଆଗାମୀ ଦିନରେ ପଠାଯିବାକୁ ଥିବା ବିକ୍ରମ-୧ ରକେଟର ଏହା ଛୋଟ ଭର୍ସନ। ବିକ୍ରମ ଏସ୍ ସିଙ୍ଗଲ ଷ୍ଟେଜ ରକେଟ ହୋଇଥିବା ବେଳେ ବିକ୍ରମ-୧ ମଲ୍ଟି ଷ୍ଟେଜ ରକେଟ। ଅଳ୍ପ କିଛି ସେନସର ଆମଦାନିକୁ ଛାଡ଼ିଦେଲେ କମ୍ପାନି ବିକ୍ରମ ଏସ୍ରେ ବ୍ୟବହୃତ ସମସ୍ତ ଉପକରଣ ନିଜେ ବିକାଶ କରିଛି। କମ୍ପାନି ବିକ୍ରମ-୧, ବିକ୍ରମ-୨ ଏବଂ ବିକ୍ରମ-୩ ଭାରିଆଣ୍ଟର ରକେଟ୍ ନିର୍ମାଣ ଯୋଜନା ରଖିଛି। ୨୦୨୩ର ଅକ୍ଟୋବର ଡିସେମ୍ବର ବେଳକୁ ବିକ୍ରମ-୧ର ଉତ୍କ୍ଷେପଣ ହେବା ସମ୍ଭାବନା ରହିଛି।