ୱାସିଂଟନ: ଇରାନ ଓ ଇସ୍ରାଏଲ ମଧ୍ୟରେ ୧୨ ଦିନ ଧରି ଚାଲିଥିବା ଭୀଷଣ ସଂଘର୍ଷରେ ଆଜି ବିରାମ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ବିଶ୍ବକୁ ଆଶ୍ବସ୍ତ କରି ଅସ୍ତ୍ରବିରତି ଘୋଷଣା କରିଥିବା ବେଳେ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତେଜନା ବଳବତ୍ତର ରହିଥିଲା ଏବଂ ମାତ୍ର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ଓ ଇରାନ ପରସ୍ପରକୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ତେବେ ଉଭୟ ରାଷ୍ଟ୍ରଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ପରିସ୍ଥିତିରେ ବଡ଼ ପରିବର୍ତ୍ତନ ସହ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି। ଇରାନ ଆନୁଷ୍ଠାନିକ ଭାବେ ଅସ୍ତ୍ରବିରତିକୁ ସମ୍ମାନ ଦେଇ ୧୨ ଦିନିଆ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନ ଉପରେ ଆଉ ଆକ୍ରମଣ ହେବନାହିଁ ବୋଲି କହିଛନ୍ତି। ପରିସ୍ଥିତି ସୁଧୁରିବା ପରେ ଆମେରିକା ରାଷ୍ଟ୍ରପତି କହିଛନ୍ତି, ‘ଅସ୍ତ୍ରବିରତି ବଳବତ୍ତର ରହିଛି। ଇସ୍ରାଏଲ ଇରାନ ଉପରେ ଆଉ ଆକ୍ରମଣ କରିବ ନାହିଁ ଏବଂ ଇରାନ ଉପରେ ବନ୍ଧୁତ୍ୱପୂର୍ଣ୍ଣ ଚକ୍କର କାଟୁଥିବା ଇସ୍ରାଏଲର ସବୁ ବିମାନ ଘରକୁ ଫେରିଆସିବ। କେହି କ୍ଷତିଗ୍ରସ୍ତ ହେବେ ନାହିଁ, ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି।’ ଟ୍ରମ୍ପ ‘ହେଗ୍’ରେ ନାଟୋ ଶିଖର ସମ୍ମିଳନୀକୁ ଯିବା ପୂର୍ବରୁ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହା କହିଛନ୍ତି।
ଟ୍ରମ୍ପ ଅନ୍ୟ ଏକ ଟ୍ରୁଥ୍ ସୋସିଆଲ ପୋଷ୍ଟରେ ଇସ୍ରାଏଲ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଇରାନ ଉପରେ ବୋମାମାଡ଼ ନ କରିବାକୁ ଚେତାବନୀ ଦେଇଛନ୍ତି। ଅସ୍ତ୍ରବିରତି ଉଲ୍ଲଂଘନ ନେଇ ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ମଧ୍ୟ ସତର୍କ କରାଇ ଦେଇଛନ୍ତି। ଇରାନ ତା’ର ପରମାଣୁ କେନ୍ଦ୍ରର ପୁନର୍ନିର୍ମାଣ କରିବାରେ ସମର୍ଥ ହେବ ନାହିଁ ଏବଂ ଇସ୍ରାଏଲ ତା’ର ରଣନୀତିରେ ପରିବର୍ତ୍ତନ ଆଣି ଅସ୍ତ୍ରବିରତିକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି। ଇରାନ ଉପରେ ପୁଣି ବୋମାମାଡ଼ କଲେ ଏହା ଅସ୍ତ୍ରବିରତିର ବଡ଼ ଉଲ୍ଲଂଘନ ହେବ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲକୁ ଶାନ୍ତ ରହିବାକୁ ତାଗିଦ କରିଛନ୍ତି। ନେତାନ୍ୟାହୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ଜିଦ୍ ଧରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ସହ ଆଲୋଚନା ପରେ ଅସ୍ତ୍ରବିରତିକୁ ମାନିବେ ବୋଲି ପ୍ରକାଶ କରିଛନ୍ତି। ଏହାପରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ କହିଛନ୍ତି ଯେ ଆମ ଉପରେ ୧୨ ଦିନ ଧରି ଯେଉଁ ଯୁଦ୍ଧ ଲଦି ଦିଆଯାଇଥିଲା ଆମେ ତାହାର ଆଜି ଅନ୍ତ ଘଟାଉଛୁ।
ସୂଚନାଯୋଗ୍ୟ, ଆଜି ଅସ୍ତ୍ରବିରତି ଘୋଷଣାର ପ୍ରାୟ ୬ ଘଣ୍ଟା ମଧ୍ୟରେ ଇସ୍ରାଏଲ ଓ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପରସ୍ପର ଉପରେ ଆକ୍ରମଣ କରିଥିଲେ। ଇରାନ ମଧ୍ୟ ଟ୍ରମ୍ପଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଏଭଳି କୌଣସି ବୁଝାମଣା ହୋଇନାହିଁ ବୋଲି କହିବା ସହ ଆକ୍ରମଣ ଜାରି ରଖିବ ବୋଲି କହିଥିଲା। ଇସ୍ରାଏଲ ମଧ୍ୟ ସମାନ ଉତ୍ତେଜନାମୂଳକ ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହା ପରେ ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଖବର ସାମ୍ନାକୁ ଆସିଥିଲା ଏବଂ ତେଲ୍ ଅଭିଭ୍ ଦାବି କରିଥିଲା ଯେ ଟ୍ରମ୍ପଙ୍କ ଦ୍ୱାରା ଘୋଷିତ ଅସ୍ତ୍ରବିରତି ପରେ ଇରାନ ଆକ୍ରମଣରେ ଅତି କମ୍ରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଏହାର କିଛି ସମୟ ପରେ ଇରାନର ସରକାରୀ ଗଣମାଧ୍ୟମ ଘୋଷଣା କରିଥିଲା ଯେ ଏହି ଆକ୍ରମଣ ସହ ଆମର ସଂପୃକ୍ତି ନାହିଁ। ଏହାପରେ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ ଉଭୟ ପକ୍ଷଙ୍କୁ ଅସ୍ତ୍ରବିରତି ଉଲ୍ଲଂଘନ ନ କରିବାକୁ ଅନୁରୋଧ କରିଥିଲେ। ତେବେ ଏହା ପରେ ପୁଣି ତେହରାନରେ ବିସ୍ଫୋରଣ ହେବାପରେ ଉତ୍ତେଜନା ବଢ଼ିବାରୁ ଟ୍ରମ୍ପ ଇସ୍ରାଏଲ ଓ ଇରାନକୁ ଚେତାବନୀ ଦେଇ ତତ୍କ୍ଷଣାତ ଅସ୍ତ୍ରବିରତି ମାନିବାକୁ କହିଥିଲେ ଏବଂ ଏହାର କିଛି ଘଣ୍ଟା ପରେ ଉଭୟ ପକ୍ଷ ଅସ୍ତ୍ରବିରତିକୁ ସ୍ବୀକାର କରିଛନ୍ତି।
ଇରାନର ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ନିର୍ଦ୍ଦେଶ ଦେବାର ମାତ୍ର ୪୮ ଘଣ୍ଟା ପରେ ଟ୍ରମ୍ପ ଆଜି ଅଚାନକ ଅସ୍ତ୍ରବିରତି ଘୋଷଣା କରିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ଜୁନ୍ ୨୧ ତାରିଖରେ ଆମେରିକା ଇସ୍ରାଏଲ ସହ ମିଶି ଇରାନର ଫୋର୍ଡୋ, ନାତାଞ୍ଜ ଓ ଇସ୍ଫାହାନ୍ରେ ଥିବା ଇସ୍ଲାମିକ୍ ରିପବ୍ଲିକ୍ର ତିନୋଟି ପରମାଣୁ ସ୍ଥଳରେ ବୋମା ମାଡ଼ କରିଥିଲା। ଏହାର ଜବାବରେ ଇରାନ ସୋମବାର କତର ଓ ଇରାକରେ ଥିବା ଆମେରିକୀୟ ସାମରିକ ଘାଟି ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତେବେ ଏହାର କିଛି ଘଣ୍ଟା ପରେ ଟ୍ରମ୍ପ ତାଙ୍କ ଆଭିମୁଖ୍ୟରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣି ଅଚାନକ ଅସ୍ତ୍ରବିରତି ଘୋଷଣା କରିଥିଲେ ଏବଂ ଉଭୟ ଇସ୍ରାଏଲ ଓ ଇରାନ ଏହାକୁ ସମ୍ମାନ ଦେବେ ବୋଲି କହିଥିଲେ।