ଟ୍ରମ୍ପ୍‌ ଯୁଗର ପରିସମାପ୍ତି, ବାଇଡେନ୍‌ଙ୍କୁ ପରବର୍ତ୍ତୀ ରା‌ଷ୍ଟ୍ରପତି ଘୋଷଣା କଲା ଡିଡିଏଚ୍‌କ୍ୟୁ

ଵାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ ତଥା ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟ ସହ ଆଜି ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ଶାସନର ପରିସମାପ୍ତି ଘଟିଛି ଏବଂ ଡେମୋକ୍ରାଟିକ୍‌ ଦଳ କ୍ଷମତାକୁ ଫେରିଛି। ଗୁରୁତ୍ବପୂର୍ଣ୍ଣ ପେନସିଲିଭାନିଆରେ ବାଇଡେନ ଜିତିବା ସହ କ୍ଷମତା ହାସଲ ପାଇଁ ଆବଶ୍ୟକ ହେଉଥିବା ୨୭୦ ଇଲୋକ୍ଟୋରାଲ ଭୋଟ୍‌କୁ ଅତିକ୍ରମ କରିଯାଇଛନ୍ତି। ଏହା ସହିତ ଦକ୍ଷିଣ ଏସିଆର ପ୍ରଥମ କୃଷକାୟ ମହିଳା ଭାବେ କମଳା ହାରିସ୍‌ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ବାଇଡେନ ଆଜି ପେନ୍‌ସିଲଭାନିଆରେ ସମସ୍ତ ରାଉଣ୍ଡ୍‌ ଗଣତିରେ ଯଥେଷ୍ଟ ଅଗ୍ରଣୀ ଥିଲେ ଏବଂ ଏହା ତାଙ୍କ ବିଜୟ ପାଇଁ ରାସ୍ତା ସଫା କରିଦେଇଥିଲା। ଜର୍ଜିଆରେ ପୁନର୍ଗଣତି ପ୍ରକ୍ରିୟା ଜାରି ରହିଥିବାରୁ ସେଠାରୁ ଫଳାଫଳ ଆସିପାରିନାହିଁ। ତେବେ ଚୂଡ଼ାନ୍ତ ଫଳାଫଳ ନ ଆସିଲେ ବି ତାଙ୍କ ସପକ୍ଷରେ ଯାଇଥିବା ନିର୍ବାଚନମଣ୍ଡଳ ସଂଖ୍ୟାରୁ ସବୁ କିଛି ସ୍ପଷ୍ଟ ବୋଲି ବାଇଡେନ୍‌ କହିଛନ୍ତି। ଅପରପକ୍ଷେ, ଭୋଗଗଣତି ପ୍ରକ୍ରିୟାକୁ ହେୟ ମନେ କରି ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏହାକୁ ଆମେରିକା ନାଗରିକଙ୍କ ବିରୋଧରେ ଜାଲିଆତି ବୋଲି କହିଛନ୍ତି।

ମହାମାରୀ କୋଭିଡ୍‌-୧୯ ଯୋଗୁଁ ଚଳିତ ନିର୍ବାଚନରେ ମାତ୍ରାଧିକ ଭୋଟର ପୋଷ୍ଟାଲ୍‌ ବାଲଟ୍‌ ଆପଣେଇବାକୁ ପସନ୍ଦ କରିଥିଲେ। ଅପରପକ୍ଷେ, ବାଇଡେନ୍‌ ନିଜ ସମର୍ଥକମାନଙ୍କୁ ଆଗୁଆ ପୋଷ୍ଟାଲ ବାଲଟ୍‌ରେ ମତଦାନ କରିବାକୁ ନିବେଦନ କରିଥିବା ବେଳେ ଟ୍ରମ୍ପ୍‌ ନିର୍ବାଚନ ଦିବସରେ ଆସି ଭୋଟ ଦେବାକୁ ପ୍ରବର୍ତ୍ତାଇଥିଲେ। ତେବେ ନିର୍ବାଚନ ଦିବସ(ଗତ ୩ ତାରିଖ) ସୁଦ୍ଧା ମଧ୍ୟ ସଂଗୃହୀତ ବହୁସଂଖ୍ୟକ ପୋଷ୍ଟାଲ ବାଲଟ୍‌ର ଯଥାରୀତି ପ୍ରକ୍ରିୟା ସରିନଥିଲା। ସେଥିପାଇଁ ଭୋଟଗଣତି ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି। ଚଳିତ ଥର ପୂର୍ବ ନିର୍ବାଚନ ଭିନ୍ନ ଜର୍ଜିଆ, ନେଭାଡ଼ା, ଆରିଜୋନା ଓ ନର୍ଥ କାରୋଲିନା ରାଜ୍ୟଗୁଡ଼ିକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବେ ଉଭା ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆରିଜୋନାରେ ୨,୫୦,୦୦୦ରୁ ୨,୭୦,୦୦୦ ଯାଏ ଭୋଟ୍‌ ଗଣତି ହୋଇପାରିନାହିଁ। ତଥାପି ଏହି ରାଜ୍ୟ ବାଇଡେନ୍‌ଙ୍କ ସପକ୍ଷରେ ଯିବ ବୋଲି ଅନେକ ଭବିଷ୍ୟବାଣୀ କରି ସାରିଛନ୍ତି।

ନୂଆଦିଲ୍ଲୀ: ଡେମୋକ୍ରା‌ଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଆବଶ୍ୟକ ଇଲେକ୍ଟୋରାଲ୍‌ ଭୋଟ୍‌ ହାସଲ କରିବା ପରେ ତାଙ୍କୁ ପ୍ରଥମେ ନ୍ୟୁଜ୍‌ ସଂସ୍ଥାମାନଙ୍କର ମିଳିତ ସମୀକ୍ଷା ମଞ୍ଚ ‘ଡିସିସନ୍‌ ଡେସ୍କ ଏଚ୍‌କ୍ୟୁ’ ବାଇଡେନ୍‌ଙ୍କୁ ଆମେରିକାର ୪୬ ତମ ରାଷ୍ଟ୍ରପତି ଘୋଷଣ‌ା କରିଛି। ଡିସିସନ୍ ଡେସ୍କ ଏଚ୍‌କ୍ୟୁର ଆକଳନ ଅନୁଯାୟୀ ବାଇଡେନ୍‌ ଏବେ ଯେଉଁ ସ୍ଥିତିରେ ରହିଛନ୍ତି ତାହା ମ୍ୟାଜିକ୍‌ ନମ୍ବର ୨୭୦କୁ ଅତିକ୍ରମ କରିଯାଇଛି। ତେଣୁ ତାଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କରିବାରେ କିଛି ସମସ୍ୟା ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର