ରାମ ମନ୍ଦିର ପାଇଁ ପ୍ରତୀକ୍ଷାର ଅନ୍ତ, ଆଜି ଭୂମି ପୂଜନ

ଭୂମି ପୂଜନ ପାଇଁ ୪୦ କିଲୋ ଓଜନର ରୁପା ଇଟା ବ୍ୟବହାର ହେବ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ରାମ ମନ୍ଦିର ଭୂମି ପୂଜନ ପାଇଁ ୪୦ କିଲୋଗ୍ରାମ୍‌ର ରୁପା ଇଟା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ ପାଇଁ ଏହି ଇଟା ବ୍ୟବହାର କରିବେ। କିନ୍ତୁ ଭୂମି ପୂଜନ ଉତ୍ସବ ପରେ ଏହି ଇଟା କାଢ଼ି ନିଆଯିବ। ମହନ୍ତ ନୃତ୍ୟ ଗୋପାଳ କହିଛନ୍ତି ଶିଳାନ୍ୟାସ କରିବାରେ ରୁପା ଇଟା ବ୍ୟବହାର କରିବାର କିଛି ବିଶେଷ ଗୁରୁତ୍ବ ନାହିଁ। ତେଣୁ ପୂଜା ପରେ ଏହି ଇଟାକୁ ବାହାର କରିନେଇ ଟ୍ରଷ୍ଟ୍‌ର ବ୍ୟାଙ୍କ୍‌ ଲକର୍‌ରେ ରଖାଯିବ। ଏହି ଇଟାକୁ ପରେ ବଦଳାଇ ଯେଉଁ ଟଙ୍କା ମିଳିବ ସେହି ଟଙ୍କା ର‌ାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବ। ଅନେକ ଭକ୍ତ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌କୁ ଇଟା ଦାନ କରିଛନ୍ତି।

କେମିତି ପ୍ରସ୍ତୁତ ହୋଇଛି ଅଯୋଧ୍ୟା, ସଜେଇ ହୋଇଛି ସରଜୁ ନଦୀ, ୧ ଲକ୍ଷ ଲଡ଼ୁ ପ୍ରସ୍ତୁତି
ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ପୂରା ଅଯୋଧ୍ୟା ସହର ଝଲସି ଉଠଉଛି। ସାରା ସହରକୁ ଆଲୋକରେ ସୁସଜ୍ଜିତ କରାଯାଇଛି। ସରଜୁ ଘାଟରେ ୧ ଲକ୍ଷରୁ ଅଧିକ ପ୍ରଦୀପ ପ୍ରଜ୍ଜଳନ କରାଯାଇଛି। ତାମିଲନାଡ଼ୁରୁ ଆସିଛି ରୁପା ମୁଦ୍ରା: ପୂଜା କାର୍ଯ୍ୟ ପାଇଁ ତାମିଲନାଡ଼ୁରୁ ଆସିଛି ରୁପା ମୁଦ୍ରା। ତାମିଲନାଡ଼ୁ, କମିକୋଚିର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ବତୀ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌କୁ ରୁପା ମୁଦ୍ରା ପଠାଇଛନ୍ତି। ଭିଏଚ୍‌ପି (ବିଶ୍ବ ହିନ୍ଦୁ ପରିଷଦ)ର ସ୍ବର୍ଗତ ଅଧ୍ୟକ୍ଷ ଅଶୋକ ସିଂଘଲ୍‌ଙ୍କ ନାମରେ ଏହି ରୁପା ମୁଦ୍ରା ଆସିଛି। ଯେଉଁ ସାଧୁସନ୍ଥମା‌ନେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ସେମାନଙ୍କୁ ଏହି ମୁଦ୍ରା ଦିଆଯିବ। ଭୂମି ପୂଜନ ପାଇଁ ସରଜୁ ନଦୀକୁ ର‌ଙ୍ଗ ବେରଙ୍ଗର ଆଲୋକ ଏବଂ ରଙ୍ଗୋଲିରେ ସଜା ଯାଇଛି। ରାମ ମନୋହର ଲୋହିଆ ଅୱଧ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଏନ୍‌ଜିଓର ସ୍ବେଚ୍ଛାକୃତ କର୍ମୀମ‌ାନେ ସାଜସଜା କାର୍ଯ୍ୟରେ ସାମିଲ ହୋଇଛନ୍ତି।

୧ ଲକ୍ଷରୁ ଅଧିକ ଲଡ଼ୁ ପ୍ରସ୍ତୁତି : ଭୂମି ପୂଜନ ପରେ ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ଲଡ଼ୁ ବଣ୍ଟା‌ଯିବ। ଏଥିପାଇଁ ପ୍ରାୟ ୧.୧୧ ଲକ୍ଷ ଲଡ଼ୁ ପ୍ରସ୍ତୁତ କରାଯାଇଛି। ମଣି ରାମ ଦାସ ଚବନୀ ପୀଠ ଦ୍ବାରା ଏହି ଲଡ଼ୁ ପ୍ରସ୍ତୁତ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ ‌କ୍ଷେତ୍ର ଟ୍ରଷ୍ଟ୍‌ ପକ୍ଷରୁ ୧ ଲକ୍ଷ ପ୍ୟାକେଟ୍‌ ବିକାନେରି ଲଡ଼ୁ ଅର୍ଡର୍‌ କରାଯାଇଛି। ପ୍ରତି ପ୍ୟାକେଟ୍‌ରେ ୪ଟି ଲଡ଼ୁ ରହିବ। ଟ୍ରଷ୍ଟ୍‌ ପକ୍ଷରୁ ଏହି ଲଡ଼ୁ ଗୁଡ଼ିକୁ ନୂଆଦିଲ୍ଲୀ ସ୍ଥିତ ସମସ୍ତ ଦୂତାବାସ ଗୁଡ଼ିକୁ ପଠାଯିବ। ଅଯୋଧ୍ୟାର ଜଣେ ଏଡିଜିଙ୍କୁ ସାଧୁସନ୍ଥ ଏବଂ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଲଡ଼ୁ ବାଣ୍ଟିବା ଦାୟିତ୍ବ ଦିଆଯିବ।

ସରଜୁ ତଟରେ ନିର୍ମାଣ ଚାଲିଛି ଶ୍ରୀରାମଙ୍କ ବିଶାଳ ପ୍ରତିମା
ନୂଆଦିଲ୍ଲୀ : ଅଯୋ‌ଧ୍ୟାରେ ସରଜୁ ନଦୀ କୂଳରେ ପ୍ରଭୁ ଶ୍ରୀରାମଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ୧୦୮ ମିଟର ଉଚ୍ଚ ହେବ। ବ୍ରୋଞ୍ଚ୍‌ ଖୋଦିତ ଏହି ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହେବାପାଇଁ ୩ ବର୍ଷ ଲାଗିଯିବ। ରାମଙ୍କ ଜୀବନୀକୁ ଆଧାର କରି ଏହି ପ୍ରତିମୂର୍ତ୍ତି ନିର୍ମାଣ ହେଉଛି। ଏହି ପ୍ରତିମୂର୍ତ୍ତିକୁ ଆକୃତି ଦେଇଛନ୍ତି ନରେଶ କୁମାର କୁମାୱତ । ନରେଶଙ୍କ ଦ୍ବାରା ପରିଚାଳିତ ଏକ ଷ୍ଟୁଡିଓ ମତୁ ରାମ ଆର୍ଟ‌୍ ସେଣ୍ଟର ଦ୍ବାରା ଏହି ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ରାଜସ୍ଥାନ ପିଲାନୀର ଜଣେ ତୃତୀୟ ପିଢ଼ିର ଶିଳ୍ପୀ କୁମାୱତ ଏହି ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି। ସେ ବିଶ୍ବରେ ବିଭିନ୍ନ ପ୍ରମୁଖ ବ୍ୟକ୍ତିତ୍ବ , ନେତା ଏବଂ ହିନ୍ଦୁ ଦେବାଦେବୀଙ୍କ ପ୍ରାୟ ୧୦୦ରୁ ଅଧିକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସମଗ୍ର ବିଶ୍ବରେ ବିଶେଷ କରି ଉତ୍ତର ଆମେରିକାରେ କୁମାୱତଙ୍କ ଦ୍ବାରା ନିର୍ମିତ ଡିଜାଇନ୍‌ ଗୁଡ଼ିକ ଦେଖିବାକୁ ମିଳିଛି।

୨,୫୭୮ଟି ସ୍ଥାନରୁ ଆସିଛି ମାଟି
ନୂଆଦିଲ୍ଲୀ: ଭୂମି ପୂଜନ ଉତ୍ସବ ପାଇଁ ଐତିହାସିକ ମହତ୍ତ୍ବ ଥିବା ୨,୫୭୮ଟି ସ୍ଥାନରୁ ମାଟି ସଂଗ୍ରହ ହୋଇଛି। ଆମ୍ବେଦକର, କବୀରଙ୍କ ସମାଧି ଏବଂ ଦେଓରହା ବାବାଙ୍କ ଧ୍ୟାନସ୍ଥଳ ସମେତ ୨ ହଜାରରୁ ଅଧିକ ଐତିହାସିକ ସ୍ଥଳରୁ ମାଟି ସଂଗ୍ରହ ହୋଇଛି ବୋଲି ବିଶ୍ବ ହିନ୍ଦୁ ପରିଷଦର ଜଣେ ସଚିବ ଅମ୍ବରିଶ କହିଛନ୍ତି। ଗତ ଗୋଟିଏ ସପ୍ତାହ ଧରି ଭକ୍ତମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରିଛନ୍ତି ଏବଂ ଏହା ଅଯୋଧ୍ୟା ପହଂଚିଛି।

ସୀମା ସିଲ୍‌ , ସୁରକ୍ଷା ଦାୟିତ୍ବ ନେଲେ ଏସ୍‌ପିଜି
ଅଯୋଧ୍ୟା: ଶ୍ରୀରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ଅଯୋଧ୍ୟାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅଯୋଧ୍ୟାର ସମସ୍ତ ସୀମା ସିଲ୍‌ କରାଯାଇଛି। ବାହାର ଲୋକଙ୍କୁ ଅଯୋଧ୍ୟା ସହରକୁ ପ୍ରବେଶ ଅନୁମତି ନାହିଁ। ସ୍ଥାନୀୟ ବାସିନ୍ଦାଙ୍କୁ ସାଙ୍ଗରେ ଆଇଡି କାର୍ଡ‌୍ ରଖିବାପାଇଁ ବାଧ୍ୟତାମୂଳକ କରାଯାଇଛି। କେବଳ ଯେଉଁମା‌ନେ ସାଙ୍ଗରେ ନିମନ୍ତ୍ରଣ କାର୍ଡ ଆଣିଥିବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା କଡ଼ାକଡ଼ି କରାଯିବ। କୌଣସି ଯାନବାହନ ପାସ୍‌ ଜାରି ହୋଇନାହିଁ। ସମସ୍ତ ଯାନବାହନ କାର୍ଯ୍ୟକ୍ରମ ସ୍ଥଳଠାରୁ ଦୂରରେ ରଖାଯିବ। ଆମନ୍ତ୍ରିତ ଅତିଥିଙ୍କୁ ୧୦.୩୦ ସୁଦ୍ଧା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବାପାଇଁ କୁହାଯାଇଛି। ଏସ୍‌ପିଜି ଅଧିକାରୀମାନେ ସୁରକ୍ଷା ଦାୟିତ୍ବ ଗ୍ରହଣ କରିଛନ୍ତି। କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ପୁଲିସ ସୁରକ୍ଷା ଦାୟିତ୍ବ‌ରେ ରହିବେ।

ଆମେରିକାରେ ଭୂମି ପୂଜନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଅଯୋଧ୍ୟା: ଅଯୋଧ୍ୟାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଆମେରିକାରେ ମନ୍ଦିର ଗୁଡ଼ିକରେ ସ୍ବତନ୍ତ୍ର ପୂଜାପାଠ ଏବଂ ପ୍ରାର୍ଥନା କ‌ାର୍ଯ୍ୟକ୍ରମ ହେବ। ଟାଇମ୍ସ ସ୍କୋୟ‌ାରରେ ବିଶାଳ ହୋର୍ଡିଂରେ ପ୍ରଭୁ ଶ୍ରୀରାମଙ୍ଗ ଛବି ପ୍ରଦର୍ଶିତ କରାଯିବ। ଅନେକ ସଂଖ୍ୟାରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଏହିଦିନ ଦୀପ ଜାଳି ଉତ୍ସବ ମନାଇବେ।

୧୦ ଏକରରେ ନିର୍ମାଣ, ୫୭ ଏକରରେ ସୌନ୍ଦର୍ଯ୍ୟକରଣ
ଅଯୋ‌ଧ୍ୟା : ୧୦ ଏକର ଜମିରେ ରାମ ମନ୍ଦିର ନିର୍ମାଣ ହେବ। ବାକି ୫୭ ଏକର ଜମିକୁ ମନ୍ଦିର ପରିସର ଅଂଚଳ ଭାବେ ଖୁବ୍‌ ସୁନ୍ଦର ଢଙ୍ଗରେ ଗଢ଼ାଯିବ। ୩ ମହଲା ବିଶିଷ୍ଟ ରାମ ମନ୍ଦିରରେ ୫ଟି ଗମ୍ବୁଜ ଆକାରର ମଣ୍ଡପ ଏବଂ ଏକ ଶିଖର ରହିବ। ମନ୍ଦିର ନିର୍ମାଣରେ ବ୍ୟବହାର ହେବାକୁ ଥିବା ପିଲାର୍‌ ସଂଖ୍ୟା ୨୧୨ରୁ ୩୬୦କୁ ବୃଦ୍ଧି କରାଯାଇଛି। ବାସ୍ତୁ ଶାସ୍ତ୍ରକୁ ବିଚାରକୁ ନେଇ ମନ୍ଦିରର ଡିଜାଇନ୍‌ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟ ବାସ୍ତୁକାର ଚନ୍ଦ୍ରକାନ୍ତଭାଇ ସୋମ୍ପୁରା କହିଛନ୍ତି। ଶିଳ୍ପ ଶାସ୍ତ୍ର ବିଶିଷ୍ଟତାକୁ ଧ୍ୟାନରେ ରଖି ନାଗରା ଶୈଳୀରେ ରାମ ମନ୍ଦିର ନିର୍ମାଣ ହେବ। ରାମ ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନର ବଂଶୀ ପର୍ବତମାଳାର ପ୍ରସ୍ତର ବ୍ୟବହାର କରାଯିବ। ମୁଖ୍ୟ ନିର୍ମାଣ ଚାରିପାଖରେ ୪ଟି କ୍ଷୁଦ୍ର ଆକାରର ମନ୍ଦିର ନିର୍ମାଣ ହେବ। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଦୀର୍ଘ ୩୦ ବର୍ଷ ଧରି ୨ ଲକ୍ଷରୁ ଅଧିକ ଶ୍ରୀରାମଙ୍କ ନାମ ଲେଖାଯାଇଥିବା ଇଟା ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର