ନୂଆଦିଲ୍ଲୀ: ଉପନିବେଶ ସମୟର ଆପରାଧିକ ଆଇନ ବଦଳରେ ଏବେ ଭାରତରେ ନୂଆ ଆପରାଧିକ ଆଇନ କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ଅନେକ ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ବିଳମ୍ବିତ ନ୍ୟାୟକୁ ରୋକିବା ଲାଗି ସଂଶୋଧିତ ଆଇନରେ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଥାନା ଓ କୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବିଶେଷ କରି ଗରିବ ଲୋକଙ୍କ ପାଇଁ ଏହା ସହାୟକ ହେବ। ଏଥିରେ ତଦନ୍ତ ଠାରୁ ଆରମ୍ଭ କରି ଚାର୍ଜସିଟ୍ ଓ ବିଚାର ପ୍ରକ୍ରିୟା ପର୍ଯ୍ୟନ୍ତ ସମୟସୀମା ନିର୍ଧାରଣ କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଲିଖିତ ଏତଲା ଦାଖଲ ହେବାର ତିନି ଦିନ ମଧ୍ୟରେ ଏଫ୍ଆଇଆର୍ ପଞ୍ଜୀକୃତ ହେବ। ପ୍ରାଥମିକ ଅନୁସନ୍ଧାନ ରିପୋର୍ଟ ୧୪ ଦିନ ମଧ୍ୟରେ ଶେଷ ହେବ। କେବଳ ଏତିକି ନୁହେଁ, ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଦାଖଲ ହେବ। ତଦନ୍ତ ଶେଷ ହୋଇନଥିଲେ ମଧ୍ୟ ଚାର୍ଜସିଟ୍ ଦାଖଲ ସମୟ ୧୮୦ ଦିନରୁ ଅଧିକ ହେବନାହିଁ। ଏଥିପାଇଁ କୋର୍ଟରୁ ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିବ।
ସେହିଭଳି ବିଚାରପତି ମଧ୍ୟ ନିଜର ରାୟକୁ ୪୫ ଦିନରୁ ଅଧିକ ସମୟ ସଂରକ୍ଷିତ ରଖିପାରିବେ ନାହିଁ। ଯଦି କୌଣସି ଅପରାଧର ଦଣ୍ଡ ସମୟ ୭ ବର୍ଷରୁ ଅଧିକ, ସେକ୍ଷେତ୍ରରେ ଫରେନ୍ସିକ୍ ଟିମ୍ର ଯାଞ୍ଚ ବାଧ୍ୟତାମୂଳକ ଅଟେ। ଖଲାସ ହେବାଲାଗି ଆବେଦନ ସମୟ ଅଭିଯୁକ୍ତ ପାଇଁ ୭ ଦିନକୁ ବୃଦ୍ଧି କରାଯାଇଛି। ଏହି ଆବେଦନ ଉପରେ ବିଚାର କରିବାକୁ ବିଚାରପତି ସର୍ବାଧିକ ୧୨୦ ଦିନ ସମୟ ନେଇପାରିବେ। କେବଳ ଏହାନୁହେଁ, ଯଦି ଅଭିଯୁକ୍ତ ନିଜର ଅପରାଧକୁ ୩୦ ଦିନ ମଧ୍ୟରେ ସ୍ବୀକାର କରିନିଏ ତେବେ ତା’ର ଦଣ୍ଡବିଧାନକୁ କୋହଳ କରାଯିବ।
ତଦନ୍ତ, ଚାର୍ଜସିଟ୍ ଓ ବିଚାର ପ୍ରକ୍ରିୟା ପାଇଁ ସମୟସୀମା ନିର୍ଧାରଣ
ଭିଡ଼ହିଂସା ପାଇଁ ଏଣିକି ଫାଶୀ
ଦେଶବିରୋଧୀ ବୟାନରେ ଜେଲ୍
ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ/ଆଜୀବନ
ଦେଶରେ ଚାଲିଥିବା ବ୍ରିଟିଶ୍ ସରକାର ପ୍ରଣୀତ ଭାରତୀୟ ପିଙ୍ଗଳ ନିୟାମକ (ଆଇପିସି), ଭାରତୀୟ ସାକ୍ଷ୍ୟ ଆଇନ ଓ ଦଣ୍ଡବିଧି ସଂହିତା (ସିଆର୍ପିସି)ର
ସଂଶୋଧନ ବିଲ୍ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ସଂସଦରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଲେ, ନ୍ୟାୟ ଠିକଣା ସମୟରେ ମିଳୁନାହିଁ। କେବଳ ତାରିଖ ପରେ ତାରିଖ ମିଳୁଛି। ପୁଲିସ କୋର୍ଟ ଓ ସରକାରଙ୍କୁ ଦୋଷ ଦେଉଛି, କୋର୍ଟ ପୁଲିସକୁ ଦୋଷ ଦେଉଛି, ସରକାର ମଧ୍ୟ ପୁଲିସ ଓ ନ୍ୟାୟପାଳିକାକୁ ଦାୟୀ କରୁଛି। ସମସ୍ତେ ନିଜ ନିଜ ଉପରୁ ଦାୟିତ୍ବ ଖସାଇ ଅନ୍ୟ ଉପରେ ଦୋଷ ଦେଉଛନ୍ତି। ନୂଆ ଆଇନ ପ୍ରଣୟନ େହଲେ ଏହାର ଅବସାନ ଘଟିବ।
ନୂଆ ଆପରାଧିକ ଆଇନ ସଂକ୍ରାନ୍ତ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି। ଅନେକ ପୁରୁଣା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଆଇପିସି (ଭାରତୀୟ ପିଙ୍ଗଳ କୋଡ୍)ରେ ରାଜଦ୍ରୋହକୁ ‘ସରକାର ବିରୋଧୀ କାର୍ଯ୍ୟ’ ରୂପେ ପରିଭାଷିତ କରାଯାଇଥିଲା।
ତେବେ ନୂଆ ସଂଶୋଧିତ ଆଇନରେ ଏହା ଦେଶଦ୍ରୋହ ରୂପେ ପରିଗଣିତ ହେବ, ଯାହାକି ଦେଶର ସାର୍ବଭୌମତ୍ବ, ସୁରକ୍ଷାକୁ ପ୍ରଭାବିତ କରୁଥିବା କ୍ଷେତ୍ରରେ ଲାଗୁ ହେବ। ନୂଆ ଆଇନ ମୁତାବକ ଏଣିକି ଭିଡ଼ ହିଂସା (ଭିଡ଼ ଦ୍ବାରା ପିଟିପିଟି ହତ୍ୟା) ଅପରାଧ ପାଇଁ ମୃତ୍ୟୁଦଣ୍ଡ ପ୍ରାବଧାନ ରହିଛି। ସେହିଭଳି ଯୌନ ହିଂସା ମାମଲାରେ ପୀଡ଼ିତାଙ୍କ ବୟାନ ତାଙ୍କ ଘରେ ହିଁ ମହିଳା ପୁଲିସ ଅଧିକାରୀଙ୍କ ସାମନାରେ ରେକର୍ଡ କରାଯିବ। ମିଥ୍ୟା ପ୍ରତିଶ୍ରୁତି ଦେଇ ଯୌନ ସଂପର୍କ ରଖିବା ମଧ୍ୟ ଅପରାଧ ଶ୍ରେଣୀଭୁକ୍ତ ହୋଇଛି। ଗଣଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ କିମ୍ବା ଆଜୀବନ କାରାଦଣ୍ଡାଦେଶ ବ୍ୟବସ୍ଥା ରହିଛି। ଆଜି ଗୃହୀତ ତିନି ବିଲ୍ ଆଇନରେ ପରିଣତ ହେବାପରେ ୧୮୬୦ରେ ଭାରତୀୟ ଦଣ୍ଡ ସଂହିତା, ୧୯୭୩ର ଆପରାଧିକ ପ୍ରକ୍ରିୟା ସଂହିତା (ସିଆର୍ପିସି) ଏବଂ ୧୮୭୨ର ଭାରତୀୟ ସାକ୍ଷ୍ୟ ଅଧିନିୟମର ଏହା ସ୍ଥାନ ନେବ।
ଆଜି ବିଲ୍ ଉପରେ ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଲେ ଯେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା ସରକାରଙ୍କ ଲକ୍ଷ୍ୟ। ଏହା ‘ଦଣ୍ଡ’ ବଦଳରେ ‘ନ୍ୟାୟ’ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ନୂଆ ଆଇନରେ ଆତଙ୍କବାଦର ସ୍ପଷ୍ଟ ବ୍ୟାଖ୍ୟା ରହିଥିବାରୁ ଆଇନ କାର୍ଯ୍ୟକାରୀ ହେବାରେ କୌଣସି ଦ୍ବନ୍ଦ୍ବ ରହିବ ନାହିଁ। ମନ୍ତ୍ରୀ କହିଲେ, ଆମେ ରାଜଦ୍ରୋହ ବଦଳରେ ଦେଶଦ୍ରୋହକୁ ପ୍ରାଧାନ୍ୟ ଦେଇ ଆଇନ ପ୍ରସ୍ତୁତ କରିଛୁ। ବ୍ୟକ୍ତିର ସ୍ବାଧୀନତା, ଅଧିକାର ଏବ ସମସ୍ତଙ୍କ ସହିତ ସମାନ ବ୍ୟବାହାର ନୀତିକୁ ଗୁରୁତ୍ବ ଦିଆଯାଇଛି। ଯେଉଁମାନେ ସରକାରର କାମକୁ ସମାଲୋଚନା କରି ବିରୋଧ କରୁଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ ନାହିଁ। କିନ୍ତୁ ଯେଉଁମାନେ ଦେଶ ବିରୋଧୀ କାର୍ଯ୍ୟ କରୁଛନ୍ତି ସେ ମହିଳା ହେଉ କି ପୁରୁଷ କଠୋର ଦଣ୍ଡରେ ଦଣ୍ଡିତ ହେବ। ଶାହଙ୍କ ଉତ୍ତର ପରେ ୯୭ ନିଲମ୍ବିତ ସାଂସଦଙ୍କ ଅନୁପସ୍ଥିତିରେ ଏହି ବିଲ୍ ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ ଭିତରେ ଏହି ବିଲ୍ ଗୃହୀତ ହେବା ଗଣତନ୍ତ୍ରର କଣ୍ଠରୋଧ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ସୂଚନାଯୋଗ୍ୟ ଯେ ଲୋକସଭାରେ ଆଜି ଆଉ ଦୁଇ ଜଣ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ ସହିତ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି। ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ସଭ୍ୟମାନେ ହଟ୍ଟଗୋଳ କରୁଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଉଛି।