ନୂଆଦିଲ୍ଲୀ: ରୁଷ୍-ବେଲାରୁଷ୍ ସହିତ ଚାଲିଥିବା ‘ଜାପାଡ୍’ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ ନ କରିବା ପାଇଁ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ରୁଷ୍ ଅଭିଯୋଗ କରିଛି। ରୁଷ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ଏହି ସମରାଭ୍ୟାସରେ ଯୋଗଦେବା ପାଇଁ ନୂଆଦିଲ୍ଲୀର ନିଷ୍ପତ୍ତିକୁ ମସ୍କୋ ସମର୍ଥନ କରୁଛି ଏବଂ ୟୁରୋପୀୟ ସଂଘ ଓ ନାଟୋ ସହଯୋଗୀଙ୍କ ସମାଲୋଚନା ନିରର୍ଥକ।
ଜାଖାରୋଭା ପ୍ରଶ୍ନ କରିଛନ୍ତି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ କୌଣସି ସାର୍ବଭୌମ ରାଷ୍ଟ୍ରକୁ ପରାମର୍ଶ ଦେବାକୁ ଚେଷ୍ଟା କରିବାର ନିରର୍ଥକତା ଓ ଅଯୌକ୍ତିକତାକୁ କେବେ ବୁଝିବେ? ବେଲାରୁଷ୍ରେ ଜାପାଡ୍ ସମରାଭ୍ୟାସରେ ଭାରତୀୟ ସଶସ୍ତ୍ର ବାହିନୀର ୬୫ ଜଣିଆ ଦଳ ଅଂଶଗ୍ରହଣ କରିବା ପରେ ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ କାଜା କାଲାସ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ରୁଷ୍ର ତୈଳ କ୍ରୟ ଓ ମସ୍କୋ ସହିତ ସାମରିକ ଯୋଗଦାନ ନୂଆଦିଲ୍ଲୀ ସହିତ ୟୁରୋପୀୟ ସମ୍ପର୍କରେ ବାଧା ସୃଷ୍ଟି କରିପାରେ।
ତେବେ ରୁଷ୍-ବେଲାରୁଷ୍ ସହ ଭାରତର ସମାରାଭ୍ୟାସକୁ ସମର୍ଥନ କରି ଜାଖାରୋଭା କହିଛନ୍ତି, ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷ୍ ସହଯୋଗ କଦାପି ତୃତୀୟ ଦେଶ ବିରୋଧରେ ନିର୍ଦ୍ଦେଶିତ ନୁହେଁ। ଏହାର ସର୍ବୋଚ୍ଚ ଉଦ୍ଦେଶ୍ୟ ହେଉଛି ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଆନ୍ତର୍ଜାତୀୟ ସ୍ଥିରତାକୁ ମଜବୁତ କରିବା ଓ ଶାନ୍ତି ରକ୍ଷା କରିବା। ରୁଷ୍-ବେଲାରୁଷ୍ ସମରାଭ୍ୟାସରେ ନୂଆଦିଲ୍ଲୀର ଅଂଶଗ୍ରହଣକୁ ଆମେ ସ୍ୱାଗତ କରୁଛୁ। ମୂଳତଃ ଏହା ଆମର ଭାରତୀୟ ବନ୍ଧୁମାନଙ୍କ ଉପରେ ଚାପ ପକାଇବା, ସେମାନଙ୍କୁ ରୁଷ୍ ସହ ସହଯୋଗ ଓ ସମ୍ପର୍କରୁ ନିରୁତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଜାଖାରୋଭା କହିଛନ୍ତି।
୨୭ଟି ଦେଶ ବିଶିଷ୍ଟ ୟୁରୋପୀୟ ସଂଘ ବର୍ତ୍ତମାନ ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛି ଏବଂ ୨୦୨୫ ଶେଷ ସୁଦ୍ଧା ଚୁକ୍ତି ସମ୍ପାଦିତ ହେବାକୁ ଲକ୍ଷ୍ୟ ରଖାଯାଇଛି। ୟୁରୋପରେ ଜାପାଡ୍ ଅଭ୍ୟାସ ଉପରେ ବି ତୀକ୍ଷ୍ଣ ନଜର ରଖାଯାଇଛି। ଏହି ସମରାଭ୍ୟାସରେ ଇରାନ ସମେତ ରୁଷ୍ର ଏକାଧିକ ସହଯୋଗୀ ସାମିଲ ଅଛନ୍ତି ଏବଂ ଏହା ଆଂଶିକ ଭାବରେ ନାଟୋ ସୀମା ନିକଟରେ କରାଯାଉଛି। ପୋଲାଣ୍ଡରେ ନିକଟରେ ହୋଇଥିବା ଡ୍ରୋନ୍ ଘଟଣା ପରେ ନାଟୋ ସଦସ୍ୟମାନେ ହାଇ ଆଲର୍ଟରେ ଅଛନ୍ତି, ଯାହା ୱାର୍ସାକୁ ବେଲାରୁଷ୍ ସହିତ ଏହାର ସୀମାକୁ ସିଲ୍ କରିବାକୁ ପ୍ରେରିତ କରିଛି।