ନୂଆଦିଲ୍ଲୀ:  ଜି-୨୦ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବାକୁ ନେଇ ବିବାଦ ବଢିବାରେ ଲାଗିଛି। ବିରୋଧୀ ଦଳମାନେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ତେବେ ଏହି ବିବାଦ ଫଳରେ ପୁଣି ଚର୍ଚ୍ଚାକୁ ଆସିଛି ଆମ ଦେଶର ନାମ । ଆମ ଦେଶର ପ୍ରାଚୀନ ନାମ ଭାରତବର୍ଷ, ଜମ୍ବୁଦ୍ବୀପ,ଭାରତଖଣ୍ଡ ଓ ଆର୍ଯ୍ୟାବର୍ତ୍ତ ଇତ୍ୟାଦି ଥିଲା ବୋଲି ଇତିହାସରୁ ଜଣାଯାଏ । ‌ତେବେ ଭାରତୀୟ ସମ୍ବିଧାନର ଧାରା ୧ରେ ଇଣ୍ଡିଆ, ଯାହାକି ଭାରତ, ରାଜ୍ୟମାନଙ୍କର ଏକ ସଂଘ ହେବ (India, that is Bharat, shall be a Union of States ) ବୋଲି ଉଲ୍ଲେଖ ରହିଛି।

Advertisment

ମଧ୍ୟଯୁଗରେ ଭାରତକୁ ତୁର୍କୀ ଓ ପାର୍ସୀ ଆକ୍ରମଣକାରୀମାନେ ଆସିବା ପରେ ଭାରତକୁ ସେମାନେ ହିନ୍ଦୁସ୍ତାନ ବୋଲି କହିଲେ । ସିନ୍ଧୁ(ନଦୀ)କୁ ସେମାନେ ହିନ୍ଦୁ ବୋଲି କହିଲେ ଓ ଭାରତୀୟ ସଭ୍ୟତାର ଲୋକମାନଙ୍କୁ ହିନ୍ଦୁ ଓ ଏ ଅଂଚଳକୁ ହିନ୍ଦୁସ୍ତାନ ବୋଲି କୁହାଗଲା । ମୋଗଲ ସମୟ ପର୍ଯ୍ୟନ୍ତ ସମଗ୍ର ବିଶ୍ବର ହିନ୍ଦୁସ୍ତାନ କିମ୍ବା ହିନ୍ଦ୍ ନାମ ପ୍ରଚଳନ ଥିଲା । ଏବେ ବି ଆମ ଦେଶକୁ ହିନ୍ଦୁସ୍ତାନ ବୋଲି କୁହାଯାଉଛି ।

ତେବେ ଇଣ୍ଡିଆ କିପରି ହେଲା ?

ଭାରତର ନାଁ ଇଣ୍ଡିଆ ନାମକରଣ ପଛରେ ଆଉ ଏକ କାହାଣୀ ରହିଛି । ଏହି ନାମକରଣ ପଛରେ ବି ‘ସିନ୍ଧୁନଦୀ’ର ସଂପୃକ୍ତି ରହିଛି । ଭାରତକୁ ଗ୍ରୀକ୍ ଆକ୍ରମଣକାରୀମାନେ ଆସିବା ପରେ ସିନ୍ଧୁନଦୀକୁ ତାଙ୍କ ଭାଷାରେ ଇଣ୍ଡସ୍ ବୋଲି କହିଲେ ଓ ତାହାର ଅବବାହିକା ଓ ଆଖପାଖ ଅଂଚଳକୁ ଇଣ୍ଡସ ଭ୍ୟାଲି (ସିନ୍ଧୁ ଉପତ୍ୟାକା) ବୋଲି କୁହାଗଲା । ପରେ ଇଣ୍ଡସ ନଦୀର ଅପରପାର୍ଶ୍ବବର୍ତ୍ତୀ ବିଶାଳ ଅଂଚଳକୁ ପ୍ରାଚୀନ ଲାଟିନ ଭାଷାରେ ଇଣ୍ଡିଆ ବୋଲି ଅଭିହିତ କରାଗଲା । ଭାରତକୁ ବ୍ରିଟିଶ ଶାସନ ଆସିବା ପରେ ଇଣ୍ଡିଆ ନାମର ବହୁଳ ବ୍ୟବହାର ହେଲା ଓ ଅନ୍ତର୍ଜାତୀୟସ୍ତରରେ ଦେଶ ଇଣ୍ଡିଆ ନାମରେ ପରିଚିତ ହେଲା। ଏଣୁ ସରଳ ଭାଷାରେ କହିଲେ ଇଣ୍ଡିଆ ନାମଟି ଗ୍ରୀକ୍ ଓ ଲାଟିନ ଭାଷାର ଅବଦାନ ବୋଲି କୁହାଯିବ।