ନୂତନ ଅଧ୍ୟକ୍ଷ ବାଛିବା ପାଇଁ ୧୬ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ନବରାତ୍ର ପରେ ଅକ୍ଟୋବର ୧୬ ଶନିବାର ଦିନ ୧୦ଟା ବେଳେ ଦଳର ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦଳର ନୂଆ ଅଧ୍ୟକ୍ଷ ବାଛିବା, ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ଆଗାମୀ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦଳର ରଣନୀତି ଏବଂ ସାଂଗଠନିକ ନିର୍ବାଚନ ଆଦି ବ୍ୟାପାରରେ ଆଲୋଚନା ହେବ ବୋଲି ଏକ ବିବୃତିରେ କୁହାଯାଇଛି। ଗତମାସରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଯେଉଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଚରଣଜିତ୍ ସିଂହ ଚନ୍ନିଙ୍କୁ ରାଜ୍ୟର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ବଛାଗଲା ପରେ ବି ବିବାଦ ତୁଟିଲାନି, ତା’ପରେ ପଞ୍ଜାବର ଜଣେ ତୁଙ୍ଗ ନେତାଙ୍କ ମୁଖପାତ୍ର ରଣଦୀପ ସୂର୍ଜେୱାଲା ସାମ୍ବାଦିକମାନଙ୍କୁ କହିଥିଲେ ଯେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଖୁବ୍‌ଶୀଘ୍ର ହେବାକୁ ଯାଉଛି।

ଦଳର ବରିଷ୍ଠ ନେତା କପିଲ ସିବଲ ସୋନିଆ ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ପାଖକୁ ଏକ ଚିଠିରେ ଲେଖିଥିଲେ ଯେ, ବର୍ତ୍ତମାନ କଂଗ୍ରେସରେ କେହି ନିର୍ବାଚିତ ଅଧ୍ୟକ୍ଷ ନାହାନ୍ତି। ଦଳରେ ନିଷ୍ପତ୍ତି କିଏ ନେଉଛି ଆମେ ଜାଣିପାରୁନୁ। ‘ଆମେ ଜି-୨୩, କିନ୍ତୁ ଜୀ-ହଜୁର ୨୩ ନୁହଁ’ ବୋଲି ସେ ଉକ୍ତ ଚିଠିରେ କାହାରି ନାମ ଉଲ୍ଲେଖ ନ କରି ଲେଖିଥିଲେ। ଏହାର କିଛି ଘଣ୍ଟା ପରେ ଦଳୀୟ କର୍ମୀମାନେ ତାଙ୍କ ଘର ଆଗରେ ‘ଶୀଘ୍ର ସୁଧୁରିଯାଅ’ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ଏବଂ ଟମାଟୋ ମାଡ଼ କରିବା ସହ ତାଙ୍କ କାର୍‌କୁ ଭାଙ୍ଗିଦେଇଥିଲ। କର୍ମୀମାନଙ୍କର ଏପରି ପ୍ରତିବାଦକୁ ଜି-୨୩ ସଦସ୍ୟମାନେ ନିନ୍ଦା କରିଥିଲେ, ଯେଉଁମାନେ ଗତବର୍ଷ ଦଳରେ ଆମୂଳ ପରିବର୍ତ୍ତନ ପାଇଁ ଦାବି କରି ସୋନିଆ ଗାନ୍ଧିଙ୍କ ପାଖକୁ ଚିଠି ଲେଖିଥିଲେ। ସେବେଠାରୁ ବହୁ ନେତା ସୋନିଆ-ରାହୁଲଙ୍କୁ ଚେତାଇ ଆସୁଥିଲେ ଯେ, ଦଳରେ କିଛି ବି ସୁଧାର ଆସୁନାହିଁ ଏବଂ କଂଗ୍ରେସ ଦିନକୁ ଦିନ ତଳକୁ ଯାଉଛି।

ଆସନ୍ତାବର୍ଷ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ପଞ୍ଜାବରେ ଦଳୀୟ ପରିସ୍ଥିତି ଭଲ ନାହିଁ ଏବଂ ଉତ୍ତରପ୍ରଦେଶରେ ଲଖିମପୁର ଖେରି ଘଟଣା ପରେ ଦଳକୁ ଅଧିକ ସକ୍ରିୟ କରିବାକୁ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଜୋର୍‌ଦାର ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ଦଳର ଅତି ଦୁର୍ବଳ ସାଂଗଠନିକ ସ୍ଥିତି ଯୋଗୁଁ ଲଖିମପୁର ଖେରି ମାମଲାରୁ ଯେଭଳି ଫାଇଦା ମିଳିବା କଥା ତାହା ମିଳୁନାହିଁ ବୋଲି କୁହାଯାଉଛି। ସବୁ ଦୃଷ୍ଟିରୁ ଅକ୍ଟୋବର ୧୬ରେ ହେବାକୁ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର