କଂଗ୍ରେସର କସରତ, ଆଜାଦ୍‌ଙ୍କ ପରେ କିଏ?

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ରାଜ୍ୟସଭା ସଦସ୍ୟ ପଦରୁ ଅବସର ନେବାକୁ ଥିବା ବେଳେ ଦଳରେ ତାଙ୍କର ଉତ୍ତରାଧିକାରୀ ଚୟନ ପାଇଁ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜାଦ୍‌ଙ୍କ ବିକଳ୍ପ ବାଛିଲା ବେଳେ ଦଳର ଅନ୍ତଃକନ୍ଦଳକୁ ଆଡ଼େଇ ଦେବେ ନା ଆଞ୍ଚଳିକ ତାଳମେଳ ରଖିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ସୋନିଆ ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ପ୍ରାଥମିକତା ଦେବେ ନା ଅଭିଜ୍ଞତା ଓ ନିରନ୍ତରତାକୁ ଗୁରୁତ୍ବ ଦେବେ ନା ସାମାଜିକ ନ୍ୟାୟ ରାଜନୀତିକୁ ପ୍ରାଧାନ୍ୟ ଦେବେ, ଏଭଳି ଅନେକ ପ୍ରଶ୍ନ ଏବେ ରାଜନୀତି ବିଶେଷଜ୍ଞଙ୍କ ମନରେ ଉଙ୍କି ମାରିଛି।

ତେବେ ଆଜାଦ୍‌ଙ୍କ ଶୂନ୍ୟସ୍ଥାନ ପୂରଣ ପାଇଁ ଦଳରେ ଚର୍ଚ୍ଚା ହେଉଥିବା ସମ୍ଭାବ୍ୟ ନାମଗୁଡ଼ିକ ମଧ୍ୟରେ ଲୋକସଭାରେ ୨୦୧୪ରୁ ୨୦୧୯ ଯାଏ ସଂସଦୀୟ ଦଳର ନେତା ଥିବା ମଲ୍ଲିକାର୍ଜ୍ଜୁନ ଖାଡ଼ଗେ, ରାଜ୍ୟସଭାରେ ଦଳର ଉପନେତା ଥିବା ଆନନ୍ଦ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ ଓ ମଧ୍ୟପ୍ରଦେଶର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରହିଛନ୍ତି। ଏମାନଙ୍କ ଭିତରୁ ପ୍ରତ୍ୟେକ କିଛି ନା କିଛି ଉପର ବର୍ଣ୍ଣିତ ଆକାଂକ୍ଷାକୁ ପୂରଣ କରିପାରୁଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ଦଳର ସାଂଗଠନିକ ପରିବର୍ତ୍ତନ ପାଇଁ ଆଜାଦ୍‌ ଓ ଶର୍ମାଙ୍କ ସମେତ ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ। ତେବେ ସେହି ଚିଠିର ବିଷୟବସ୍ତୁ ସମାଧାନ ଏଯାଏ ହୋଇନଥିଲେ ମଧ୍ୟ ତାହାର ଦସ୍ତଖତକାରୀଙ୍କ ମଧ୍ୟରୁ ଅନେକଙ୍କୁ ସୋନିଆ ଦଳର ଗୁରୁତ୍ବପୂର୍ଣ୍ଣ ପଦପଦବିରେ ବସାଇ ସେମାନଙ୍କ ପ୍ରତି କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ବୋଲି ଜଣାଇବାକୁ ଚାହିଛନ୍ତି। ସୁତରାଂ କାହା ମୁଣ୍ଡରେ ସୁନା କଳସ ବସୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଫେବ୍ରୁଆରି ୧୫ ପରେ ହିଁ ଏ ସମ୍ପର୍କରେ ସୋନିଆ ନିଷ୍ପତ୍ତି ନେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର