ନୂଆଦିଲ୍ଲୀ : ଗ୍ରହାଣୁଗୁଡ଼ିକ ଉପରେ ଅନୁଧ୍ୟାନରୁ ବୈଜ୍ଞାନକମାନେ ଅନୁମାନ କରୁଥିଲେ ଯେ ପୃଥିବୀରେ ଜୀବନର ସତ୍ତା ବାହାର ଦୁନିଆରୁ ଆସିଥିଲା। ତେବେ ସେମାନେ ଏ ବିଷୟରେ ନିଶ୍ଚିତ ନ ଥିଲେ ଯେ, ଜୀବନ ଲାଗି ଉପଯୋଗୀ ରସାୟନଗୁଡ଼ିକ ଗ୍ରହାଣୁ ସହ ବାହାରୁ ଆସିଛି କି ସେଗୁଡ଼ିକ ପୃଥିବୀ ପୃଷ୍ଠରେ ପଡ଼ିବା ପରେ ପୃଥିବୀର ରସାୟନଗୁଡ଼ିକ ସେଥିରେ ସଂଲଗ୍ନ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମଙ୍ଗଳ ଓ ବୃହସ୍ପତି ମଝିରେ ଅନେକ ଗ୍ରହାଣୁ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଥାନ୍ତି। ଯେତେବେଳେ ଏଗୁଡ଼ିକ ପୃଥିବୀର ନିକଟବର୍ତ୍ତୀ ହୁଅନ୍ତି, ପୃଥିବୀର ଆକର୍ଷଣରେ ଟାଣି ହୋଇ କିଛି ଗ୍ରହାଣୁ ପୃଥିବୀ ପୃଷ୍ଠ ଆଡ଼କୁ ଧାବିତ ହୁଅନ୍ତି। ସେଗୁଡ଼ିକୁ କୁହାଯାଏ ଉଲ୍କା। ପୃଥିବୀର ବାୟୁମଣ୍ଡଳ ଭିତରକୁ ଆସିବା ପରେ ବାୟୁ ସହ ଘର୍ଷଣ ଫଳରେ ସେଗୁଡ଼ିକ ଜଳିଉଠନ୍ତି। ପୃଥିବୀରେ ପଡ଼ିବା ପୂର୍ବରୁ ଅଧିକାଂଶ ଗ୍ରହାଣୁ ବା ଉଲ୍କା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାନ୍ତି। ବେଳେବେଳେ ଅତି ବଡ଼ ଆକାରର ଗ୍ରହାଣୁ ସମ୍ପୂର୍ଣ୍ଣ ନ ଜଳି ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୃଥିବୀରେ ପଡ଼ନ୍ତି।
ବୈଜ୍ଞାନିକମାନେ ଏହି ଗ୍ରହାଣୁଗୁଡ଼ିକ ଉପରେ ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ସେଥିରେ କାର୍ବନ ପରି କଳା ଉପାଦାନ ରହିଛି, ଯାହା ଜୀବନ ସୃଷ୍ଟି ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ଗ୍ରହାଣୁରେ ଜୀବନର ସତ୍ତା ସମ୍ଭବ ବୋଲି ବୈଜ୍ଞାନିକମାନେ କହିଆସୁଥିଲେ।
କିନ୍ତୁ ସମ୍ପ୍ରତି ମହାକାଶରୁ ସଂଗୃହୀତ ଗ୍ରହାଣୁର ପଥର ଓ ଧୂଳିରେ ବୈଜ୍ଞାନିକମାନେ ୟୁରାସିଲ ନାମକ ରାସାୟନିକ ଉପାଦାନ ପାଇଛନ୍ତି, ଯେଉଁଥିରୁ ଆର୍ଏନ୍ଏ ସୃଷ୍ଟି ହୋଇଥାଏ। ରୢୁଗୁ ନାମକ ଗ୍ରହାଣୁର ମାତ୍ର ୧୦ ମିଲିଗ୍ରାମ୍ ଉପାଦାନର ବିଶ୍ଳେଷଣରୁ ବୈଜ୍ଞାନିକମାନେ ଏହି ସତ୍ୟ ଆବିଷ୍କାର କରିଛନ୍ତି। ଏଥିରୁ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଗ୍ରହାଣୁମାନେ ପୃଥିବୀରେ ପତିତ ହେବା ପରେ ସେମାନଙ୍କଠାରୁ ଜୀବସୃଷ୍ଟିର ଉପାଦାନ ପୃଥିବୀପୃଷ୍ଠକୁ ଆସିଥିଲା।
ଜାପାନୀ ମହାକାଶ ଯାନ ହାୟାବୁସା-୨ ରୢୁଗୁ ଗ୍ରହାଣୁର ମାତ୍ର ୫.୪ ଗ୍ରାମ୍ ପଥର ଓ ଧୂଳି ସଂଗ୍ରହ କରିଥିଲା। ଏହି ମହାକାଶ ଯାନ ୨୦୧୪ରେ ଛଡ଼ାଯାଇଥିଲା ଏବଂ ୨୦୨୦ରେ ଗ୍ରହାଣୁର ନମୁନା ସହ ପୃଥିବୀର କକ୍ଷପଥକୁ ଫେରିଆସିଥିଲା। ଏହାର ବିଶ୍ଳେଷଣରୁ ଗ୍ରହାଣୁରେ ଜୀବନ ସୃଷ୍ଟିକାରୀ ଉପାଦାନ ଓ ଆମିନୋ ଏସିଡ୍ ଇତ୍ୟାଦି ରହିଥିବା ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି।