ଲୋକସଭାରେ ବିନା ଆଲୋଚନାରେ ଗୃହୀତ ହେଲା ବ୍ୟୟମଂଜୁରି ବିଲ୍‌

ସାଂସଦମାନେ ଉଠାଇପାରିଲେନି ରାଜ୍ୟ ସ୍ବାର୍ଥ ସମ୍ବନ୍ଧିତ ଦାବି

ନୂଆଦିଲ୍ଲୀ: ଲୋକସଭାରେ ହଙ୍ଗାମା, ସ୍ଲୋଗାନବାଜି ଓ ହୋହଲ୍ଲା ଲଗାତାର ଜ‌ାରିରହିବା ପରେ ଗତକାଲି ବିନା ବିତର୍କ ଓ ଆଲୋଚନାରେ ବ୍ୟୟମଂଜୁରି ବିଲ୍‌ ପାରିତ ହୋଇଥିଲା। ଆଜି ଅନୁରୂପ ଭାବେ ଅର୍ଥ ବିଲ୍‌ ଗୃହୀତ ହୋଇଛି। ବିନା ଆଲୋଚନାରେ ୨୦୨୩-୨୪ ବଜେଟକୁ ଅନୁମୋଦନ କରିବା ସବୁଠାରୁ ପରିତାପର ବିଷୟ ବୋଲି କହିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ। ‘ସମ୍ବାଦ’ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶ୍ରୀ ସାହୁ କହିଛନ୍ତି, ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମନ୍ତ୍ରାଳୟୱାରି ଆଲୋଚନା ବେଳେ ରେଳ ଓ ଗ୍ରାମୀଣ ବିକାଶ ପ୍ରସଙ୍ଗ ବିତର୍କରେ ଭାଗ ନେବା ପାଇଁ ଦଳପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଆଲୋଚନା ହୋଇଥିଲେ ରାଜ୍ୟକୁ ରେଳ ଅବହେଳା ନେଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତେ। ଲଗାତାର ସଦନ କାର୍ଯ୍ୟରେ ବାଧା ସୃଷ୍ଟି ହେବା ଓ ବିନା ଆଲୋଚନାରେ ବିଲଗୁଡ଼ିକୁ ପାରିତ କରାଯିବା ବିଶେଷଭାବେ ତାଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟ ପକ୍ଷରେ ଦେଶର ମଙ୍ଗଳ ଓ ଜନହିତକୁ ସରକାର ଦୃଷ୍ଟିରେ ରଖି ବିନା ବିତର୍କରେ ବ୍ୟୟମଂଜୁରି ବିଲ୍‌ ଅର୍ଥ ବିଲକୁ ପ‌ାରିତ କରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କ ଦ୍ବାରା କ୍ରମାଗତ ହଙ୍ଗାମା ଯୋଗୁଁ ସଦନରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ସଂସଦରେ ଅଚଳାବସ୍ଥା ଜାରି ରହିବା ଯୋଗୁଁ ସେ ତାଙ୍କ ସଂସଦୀୟ କ୍ଷେତ୍ରର ସମସ୍ୟାକୁ ଉପସ୍ଥାପନ କରିପାରିନଥିବାରୁ ଅତ୍ୟନ୍ତ ଦୁଃଖୀ ଓ ମର୍ମାହତ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଥିବାରୁ ଆବଶ୍ୟକୀୟ ବିଲ୍‌ଗୁଡିକୁ ବିନା ଆଲୋଚନାରେ ପାରିତ କରିବା ପାଇଁ ସରକାରଙ୍କ ଯୋଜନା ରହିଛି। ସରକାରଙ୍କ ଏଭଳି ପ୍ରକ୍ରିୟାକୁ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର