ମେପ୍ପାଡି: କଥାରେ ଅଛି- ରଖେ ହରି ମାରେ କିଏ? ମଙ୍ଗଳବାର ସକାଳେ ଭୂସ୍ଖଳନର କରାଳ ଆଲିଙ୍ଗନରୁ ବର୍ତ୍ତିଯାଇଥିବା ସୁଜାତା ଅନିନାଞ୍ଚିରା ଓ ତାଙ୍କ ପରିବାରର କାହାଣୀ ଏହାକୁ ସତ୍ୟ ପ୍ରତିପାଦିତ କରିଛି। ଚୁରାଳମାଳାରେ ଥିବା ନିଜର ଘର ଭୁଶୁଡ଼ି ପଡ଼ିବା ପରେ କୌଣସି ପ୍ରକାରେ ତା’ର ଭଗ୍ନାବଶେଷରୁ ବାହାରିବା ପରେ ତିନିତିନିଟା ଜଙ୍ଗଲୀ ହାତୀ ସହ ସେମାନଙ୍କୁ ରାତି କାଟିବାକୁ ପଡ଼ିଥିଲା କିନ୍ତୁ ହାତୀମାନେ ତାଙ୍କର କିଛି କ୍ଷତି କରି ନ ଥିଲେ। ଭୂସ୍ଖଳନରେ ଭୁଶୁଡ଼ି ପଡ଼ିଥିବା ନିଜ ଘରୁ ବାହାରିବା ପରେ ସୁରକ୍ଷିତ ସ୍ଥାନ ଖୋଜିବା ପାଇଁ ସୁଜାତା ଓ ତାଙ୍କ ପରିବାର ନିକଟସ୍ଥ ଛୋଟ ପାହାଡ଼ ଉପରକୁ ଚଢ଼ି ଯାଇଥିଲେ।
ମାତ୍ର ଅଧ ମିଟର ଦୂରରେ ତିନୋଟି ହାତୀ ସହ ସେମାନଙ୍କର ଭେଟାଭେଟି ହୋଇଥିଲା। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା ଓ ଦୁଇଟି ମାଈ ହାତୀ ଥିଲେ। ଘନ ଅନ୍ଧାର ଥିଲା, କିନ୍ତୁ ନିକଟରେ ଦନ୍ତାହାତୀ ଠିଆ ହୋଇଥିବା ଜାଣିବା କଷ୍ଟକର ନ ଥିଲା। ପଶୁଟି ବି ଭୟଭୀତ ମନେ ହେଉଥିଲା। ମୁଁ ହାତୀକୁ ପ୍ରାର୍ଥନା କରି କହିଥିଲି ଯେ ଆମେ ଏକ ଭୟଙ୍କର ବିପର୍ଯ୍ୟୟରୁ ବଞ୍ଚି ଆସିଛୁ, ଦୟାକରି ଆମର କିଛି କ୍ଷତି କରିବ ନାହିଁ ବୋଲି ରିଲିଫ୍ କ୍ୟାମ୍ପରେ ସୁଜାତା କହିଛନ୍ତି। ତାଙ୍କୁ ଓ ତାଙ୍କ ପରିବାରକୁ ସାରା ରାତି ହାତୀ ସହ ବିତାଇବାକୁ ହୋଇଥିଲା। ସୁଜାତା କହିଛନ୍ତି, ଆମେ ଦନ୍ତା ଗୋଡ଼ର ଅତି ନିକଟରେ ଥିଲୁ, କିନ୍ତୁ ସେ ଆମର ଦୁଃଖ ବୁଝିପାରୁଥିଲା। ସକାଳ ୬ଟା ପର୍ଯ୍ୟନ୍ତ ଆମେ ସେଠାରେ ରହିଲୁ ଏବଂ ଉଦ୍ଧାରକାରୀ ଦଳ ଆମକୁ ଉଦ୍ଧାର କରିବା ପର୍ଯ୍ୟନ୍ତ ହାତୀମାନେ ପାଖରେ ଠିଆ ହୋଇଥିଲେ।