ସ୍ପାଇଡରମ୍ୟାନ ଦ୍ୱାରା ଶିଶୁ ଉଦ୍ଧାର ଘଟଣା : ଶିଶୁ ୪ ତାଲା ଉପରେ ଝୁଲିଛି, ବାପା ମୋବାଇଲରେ ଗେମ୍‌ ଖେଳିବାରେ ବ୍ୟସ୍ତ

ପ୍ୟାରିସ : ଗତ ସପ୍ତାହରେ ପ୍ୟାରିସରେ ଥିବା ଏକ ଆପାର୍ଟମେଣ୍ଟରୁ ଓହଳିଥିବା ଶିଶୁକୁ ଆଶ୍ଚର୍ଯ୍ୟଜନକଭାବେ ଏକ ୨୨ ବର୍ଷୀୟ ଯୁବକ ଉଦ୍ଧାର କରିବା କଥା ଆପଣଙ୍କର ମନେ ଥିବ । ଫ୍ରାନ୍ସରେ ଶରଣାର୍ଥୀଭାବେ ରହୁଥିବା ଏହି ଯୁବକକୁ ଏବେ ସ୍ପାଇଡରମ୍ୟାନ ବୋଲି କୁହାଯାଉଛି ।
ତେବେ କାହିଁକି ଏହି ଶିଶୁଟି କୋଠାରୁ ଓହଳି ପଡିଥିଲା ଆପଣ ଜାଣନ୍ତି କି ? ଏ ସଂପର୍କରେ ତଦନ୍ତ କରୁଥିବା ଫ୍ରାନ୍ସର ପୁଲିସ କେତେକ ଆଶ୍ଚର୍ଯ୍ୟଜନକ କଥା କହିଛି । କଥା ହେଉଛି ଏହି ଶିଶୁର ମା’ ଭାରତ ମହାସାଗରରେ ଫ୍ରାନ୍ସ ପ୍ରଶାସିତ ରିୟୁନିୟନ ଦ୍ୱୀପରେ ରହନ୍ତି । ଶିଶୁଟି ପ୍ୟାରିସରେ ନିଜ ବାପାଙ୍କ ସହିତ ରହେ । ଘଟଣା ଦିନ ଉକ୍ତ ବ୍ୟକ୍ତି ଶିଶୁକୁ ଘରେ ଏକୁଟିଆ ଛାଡି ବାହାରକୁ ସପିଂ କରିବାକୁ ଯାଇଥିଲେ, କିନ୍ତୁ ଆସିବାବେଳେକୁ ସେ ନିଜ ମୋବାଇଲ ଫୋନରେ ଭିଡିଓଗେମ ପୋକମ୍ୟାନ ଗୋ ଖେଳୁଥିଲେ । ଏହି ଖେଳରେ ସେ ଏତେ ମାତିଗଲେ ଯେ ଶିଶୁ କଥା ଭୁଲିଗଲେ । ତେଣେଚପଳ ଶିଶୁଟି ଘରେ ଖେଳି ଖେଳି ବାଲକୋନି ଆଡକୁ ପଳେଇ ଆସିଲା ଓ ବାଲକୋନିରେ ଓହଳି ପଡିଲା । ଏହା ପରର ଘଟଣା ଆପଣଙ୍କୁ ଜଣା ।

ମାମୌଦୌ ଗାସାମା ନାମକ ସେ ଯୁବକ ନିଜର ଜୀବନକୁ ବିପନ୍ନ କରି ମାତ୍ର କେଇ ସେକେଣ୍ଡ୍ରେ ୪ ତାଲା ବାଲ୍କୋନିରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା । ଚାରି ତାଲାରେ ପହଞ୍ଚି ସେ ବାଲ୍କୋନି ଉପରେ ଗୋଟିଏ ଗୋଡ଼ ରଖି ଡାହଣ ହାତ ବଢ଼ାଇ ସେ ପିଲାଟିକୁ ଧରି ଭିତରକୁ ଉଠାଇ ନେଇ ଥିଲା। ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ପିଲାଟି ଉଦ୍ଧାର ହୋଇ ସାରିଥିଲା।
ଫ୍ରାନସର ପୁଲିସ ଏବେ ଉକ୍ତ ବ୍ୟକ୍ତି ବିରୋଧରେ ଶିଶୁ ଅବହେଳା ମାମଲା ରୁଜ୍ଜୁ କରିଛି । ତାକୁ ଘଟଣାଦିନ ଗିରଫ କରାଯାଇଥିଲା, ଏବେ ସେ ଜାମିନରେ ଅଛି ।  ଅନ୍ୟପକ୍ଷରେ ଉକ୍ତ ଯୁବକକୁ ଏବେ ପ୍ୟାରିସର ଦମକଳ ବାହିନୀରେ ଏକ ଚାକିରି ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର